ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ  ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି। ତାଳଧ୍ବଜ ଗଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଆଗକୁ ଗଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଆଉ କିଛି ସମୟ ପରେ ଏହାକୁ ଭକ୍ତମାନେ ଟାଣିନେବେ। ଶେଷରେ କାଳିଆ ଠାକୁରଙ୍କ ରଥ ‘ନନ୍ଦିଘୋଷ’କୁ ଶରଧାବାଲି ଅଭିମୁଖେ ଟଣାଯିବ।ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ୩୪ ଡିଗ୍ରୀ ତାପମାତ୍ରା ଓ ୭୨ ପ୍ରତିଶତ ଆଦ୍ରତାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ‌ଲଗାଯାଇଥିଲା।