ବୋଲେରୋକୁ ଧକ୍କା ଦେଲା ହାଇୱା , ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ
ବୋଲେରୋକୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ଦୁଇ ଜଣ ଆହତ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାର ଉଲୁଣ୍ଡା ଥାନା ମାଟୁପାଲି ଛକରୁ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ୫ଜଣ ବିଦ୍ୟୁତ କର୍ମଚାରୀ ବୋଲେରୋ ଯୋଗେ ଫେରୁଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ଏକ ହାଇୱା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବୋଲେରୋ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣା ସ୍ଥଳରେ ହିଁ ୩ଜଣ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ଦୁଇ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି। ସେପଟେ ଝିଅ ଦେଖିବାକୁ ଯାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । କେନାଲ ପାଣିରେ କାର ପଶିଯିବାରୁ ବାପ- ପୁଅଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ନିକଟ ଠେଲକୋମୁଣ୍ଡା ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ ରେଙ୍ଗାଲପାଳି ଗାଁର ଲାଲଧର ରାଉତ ଓ ତାଙ୍କର ୫ ବର୍ଷର ପୁଅ । ସୂଚନା ଅନୁସାରେ ରେଙ୍ଗାଲପାଳି ଗାଁର ବଳଦେବ ରାଉତଙ୍କ ପରିବାରର ୧୧ଜଣ କଲମପୁର ବ୍ଲକର ନୂଆଗାଁକୁ ଝିଅ ଦେଖିବାକୁ ଯାଇଥିଲେ।
ଝିଅ ଦେଖି କାର ଯୋଗେ ଫେରିବା ବେଳେ ଠେଲକୋମୁଣ୍ଡା ନିକଟରେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ-କାର ମୁହାଁମୁହିଁ ଧକ୍କା ପରେ ଭାରସାମ୍ୟ ହରାଇ କାରଟି ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଶିଯାଇଥିଲା । ସ୍ଥାନୀୟ ଲୋକ କାରରୁ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ୫ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ନାବାଳକର ମୃତଦେହ ଉଦ୍ଧାର କରିଥିଲା । ଆହତମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।