ଡିସେମ୍ବର ୧୩ରେ ଭାରତ-ବାଂଲାଦେଶ ମୁକାବିଲା
ବାରବାଟୀ ଷ୍ଟାଡିୟମ୍ରେ ଦୃଷ୍ଟିହୀନ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଗୋଟିଏ ମ୍ୟାଚ ଖେଳାଯିବ । ଆସନ୍ତା ଡିସେମ୍ବର ୧୩ ତାରିଖରେ ଘରୋଇ ଭାରତୀୟ ଦଳକୁ ଭେଟିବ ବାଂଲାଦେଶ । ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ତରଫରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦିଆଯାଇଛି ।
ମ୍ୟାଚ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ । ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ନକୁଳ ବଡନାୟକ ସ୍ଥାନ ପାଇଛନ୍ତି । କୋରାପୁଟର ପିପଲପୁଟ ଗ୍ରାମର ନକୁଳ ବର୍ତ୍ତମାନ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଓଡ଼ିଶା ଚତୁର୍ଥ ଦୃଷ୍ଟିହୀନ କ୍ରିକେଟର ଭାବେ ନକୁଳ ଦୃଷ୍ଟିହୀନ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ଏମ୍ଡି.ଜାଫର୍ ଇକ୍ବାଲ୍, ପଙ୍କଜ ଭୁଏ ଓ ସୁଖରାମ ମାଝି ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଏବେ ନକୁଳଙ୍କୁ ମଧ୍ୟ ତାଙ୍କ ଯୋଗ୍ୟତା ମାପକାଠିରେ ବିଶ୍ୱକପ୍ ଲାଗି ଚୟନ କରାଯାଇଛି । ସେ ୨୦୧୮ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଦାର୍ପଣ କରିଥିଲେ । ୨୦୨୨ ରେ ଟି-ଟ୍ୱେଣ୍ଟି ସିରିଜ୍ରେ ରନର୍ସଅପ୍ ହୋଇଥିବା ଭାରତୀୟ ଦଳର ସଦସ୍ୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।