ଓବିସିଙ୍କୁ ନ୍ୟାୟ ପ୍ରଦାନ ଦାବିନେଇ ପ୍ରଶ୍ନକଲା ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ବର : ଓବିସିଙ୍କୁ ନ୍ୟାୟ ମିଳୁନାହିଁ ।  ଓବିସିଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।  ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ ଏପ୍ରିଲ ୧୪ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ ଚାଲିବ ବୋଲି ବିଜେପି କହିଛି। ଏଥିରେ ମଧ୍ୟ ଓଡ଼ିଶାର ସମସ୍ତ ଗାଁରେ ଶୋଭାଯାତ୍ରା ହେବ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି କ୍ରିଷ୍ଣା ଗୌର ଭୁବନେଶ୍ବରରେ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗୌର କହିଛନ୍ତି ଯେ, ଓଡ଼ିଶାରେ ମୋଟ୍ ଜନସଂଖ୍ୟାର ୫୪% ହେଉଛନ୍ତି ପଛୁଆବର୍ଗର। ହେଲେ ସେମାନଙ୍କୁ ରାଜ୍ୟ ସରକାର ଶିକ୍ଷା, ନିଯୁକ୍ତି, ସ୍ଥାନୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ସାମ୍ବିଧାନି ଅଧିକାରରୁ ବଞ୍ଚିତ କରିଛନ୍ତି।