ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ ଥିବାରୁ ଏହାକୁ ସଜାଡ଼ିବା ସହ ୨୦୨୪ରେ ସମସ୍ତଙ୍କୁ ଏକାଠି ଧରି ଚାଲିବାକୁ ମଙ୍ଗଳବାର ଠାରୁ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ।

ହୋଟେଲ ବ୍ଲୁ ଲିଲି ରିସୋର୍ଟରେ ଏହି ଶିବିର ହେବାକୁ ଥିବାବେଳେ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଏହି ବୈଠକରେ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଯୋଗଦେବେ। ବିଜେପି ଓ ଆର୍‌ଏସ୍‌ଏସ୍‌ର ବରିଷ୍ଠ ସଂଗଠକମାନେ ଏହି ବୈଠକରେ ଯୋଗଦେଇ କ୍ଷେତ୍ର ସ୍ତରୀୟ ନେତାଙ୍କୁ ସଂଗଠନ ସୁଦୃଢ କରିବାର ମନ୍ତ୍ର ଦେବେ। ଓଡ଼ିଶାର ରାଷ୍ଟ୍ରୀୟସ୍ତରର ନେତାମାନେ ବି ଦଳକୁ ‌ଓଡ଼ିଶାରେ ଆଗେଇ ନେବା ପାଇଁ ସେମାନଙ୍କର କ’ଣ ଯୋଜନା ଅଛି ତାହା ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ। ଏପରିକି ଦଳକୁ ମଜବୁତ୍‌ କରିବାକୁ ତୃଣମୂଳ ସ୍ତରରେ ସେମାନେ କିପ୍ରକାରର ‌ସହଯୋଗ ଆଶା କରୁଛନ୍ତି ତାହା କହିବେ।