ଭାଜପାକୁ ଶକ୍ତ ଝଟ୍କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ ସଭା ଓ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ ସମେତ ଶହେରୁ ଉଦ୍ଧର୍ବ ମଣ୍ଡଳ, ନଗର ପ୍ରଭୃତି ଆଗଧାଡିର କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କାଳୁ।
ଟିକେଟ କଟିବା ନେଇ ସାମ୍ବାଦିକଙ୍କୁ ସମ୍ବୋଧିତ ବେଳେ ଭାବବିହ୍ବଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇଲେ କାଳୁ। ସ୍ବାଧୀନ ଲଢି ବିଧାୟକ ହେବି ବୋଲି କହିଛନ୍ତି। ଏହାସହ ସେ ଏମ୍ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରାଜିତାଙ୍କୁ ହରାଇବା ପାଇଁ ଘରକୁ ଘର ବୁଲି ପ୍ରଚାର କରିବି। ତାଙ୍କୁ ବିହାର ପଠାଇଦେବି। ମୋ ସହ ଷଡଯନ୍ତ୍ର କରାଯାଇଛି। ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧୀଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା। ରାଜ୍ୟ ସଭାପତି ୪୮ ଘଣ୍ଟା ସମୟ ମାଗି ମୋ ସହ ଖେଳୁଛନ୍ତି। ମୋ ସହ ଶହେରୁ ଉଦ୍ଧର୍ବ ଦଳୀୟ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧୀନ ଭାବେ ଲଢିବି। ମୁଁ ପାଇକ ପୁଅ ଖୋର୍ଦ୍ଧା ମାଟିର ବିକାଶ ପାଇଁ ଲଢେଇ କରିବି। ଜନମତ ମୋ ସାଥିରେ ଅଛି, ମୁଁ ନିଶ୍ଚିତ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବି। ମୁଁ କାହା ସହ ଯୋଗାଯୋଗରେ ନାହିଁ। ଖୋର୍ଦ୍ଧାର ବିଭିନ୍ନ ପ୍ରସଙ୍ଗ ରହିଛି। ଏକାକୀ ଲଢିବି ସମୟ କହିବ ଜନତା କାହା ସାଥିରେ ଅଛନ୍ତି। କୌଣସି ଅପରାଧୀଙ୍କୁ ଲୋକେ ଭୋଟଦେବେ ନାହିଁ। ମୁଁ ମୋ ସ୍ବାଭିମାନ ସହ ଲଢି ବିଜୟୀ ହେବି