ଅବନ୍ତୀ ଦାସ ଜିତିପାରିବେ କି ? ଧାମନଗର ଉପନିର୍ବାଚନରେ ଚାଲିଛି ଚର୍ଚା

ଧାମନଗର: ଏଥର ଧାମନଗର ଉପନିର୍ବାଚନରେ କିଏ ଜିତିବ? ତାକୁ ନେଇ ଗାଁରୁ ରାଜଧାନୀ ସବୁଠି ଚର୍ଚା । ତେବେ ଦିବଂଗତ ବିଷ୍ଣୁ ସେଠୀଙ୍କ ପୁଅକୁ ବିଜେପି ପ୍ରାର୍ଥୀ କରିବା ପରେ ତାଙ୍କ ଅନୁକମ୍ପାମୂଳକ ଭୋଟ ପାଇଁ ସମର୍ଥନ ବଢ଼ିଥିବା ଚର୍ଚା ହେଉଛି । ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ କରିବା ପରେ ଏହି ଚର୍ଚା ଆହୁରି ଜୋର ଧରିଛି । କାରଣ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଏହି ପ୍ରାର୍ଥୀ ଚୟନରେ ସନ୍ତୁଷ୍ଟ ନାହାଁନ୍ତି । ସେପଟେ କଂଗ୍ରେସ ଆଇନଜୀବୀ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଛି । ସେ ମଧ୍ୟ ବିଜେହିର କିଛି ଭୋଟ କାଟିପାରନ୍ତି । ବିଜେଡ଼ି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଟକ୍କର ଦେବାକୁ ଯେଉଁ ରଣନୀତି କରିଛି ତାହା ସଫଳ ହେବନାହିଁ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି । ବିଜେପିର ଅନୁକମ୍ପା ଭୋଟକୁ କାଉଣ୍ଟର କରିବାକୁ ଯାଇ ବିଜେଡ଼ି ଖେଳିଛି ମହିଳା କାର୍ଡ । ବାଲେଶ୍ୱର ସଦର ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିବା ଭଳି ଧାମନଗର ଉପନିର୍ବାଚନରେ ଏହାର ପୁନରାବୃତ୍ତି କରିବାକୁ ନୂଆ ମୁହଁକୁ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ତେବେ ଏହି ନୂଆ ମୁହଁ ବିଜେଡିକୁ କେତେ ସଫଳତା ଦେଉଛି ତାହା ନିର୍ବାଚନ ପରେ ଜଣାପଡିବ ।

ସେପଟେ ଧାମନଗରରୁ ବିଜେଡ଼ି ଟିକେଟ୍‌ ପାଇଁ ଅଧା ଡଜନ ନେତା ଆଶାୟୀ ଥିଲେ । ସମସ୍ତଙ୍କୁ ଚକମା ଦେଇ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ନାମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋହର ମାରିବା ପରେ ଏବେ ନିଜ ଦଳରେ ଅବନ୍ତୀ ଅସନ୍ତୋଷ ସୃଷ୍ଟି କରିଛନ୍ତି । ଟିକଟ ଆଶାୟୀମାନେ କଣ କରିବେ ସେ ନେଇ ପୃଥକ ପୃଥକ ବୈଠକ କରୁଥିବା ସୂଚନା ମିଳୁଛି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଟିକେଟ ପାଇବା ଆଶାରେ ଥିଲେ । ଅନ୍ୟତମ ଟିକଟ ଆଶାୟୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ଆଶା ରଖିଥିଲେ ତାଙ୍କୁ ଟିକେଟ ମିଳିବ । ଟିକେତ ମିଳିଲା ନାହିଁ । ତାଙ୍କ ସମର୍ଥକ କହୁଛନ୍ତି ସ୍ବାଧୀନରେ ନିର୍ବାଚନ ଲଢ଼ିବା ପାଇଁ । ତେବେ ସେ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନାହାଁନ୍ତି । ଆଶାୟୀଙ୍କ ଦରଖାସ୍ତକୁ ବାଦ ଦେଇ ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା କେତେ ସଫଳ ହେଉଛି ତାହା ଫଳାଫଳ ପରେ ଜଣାପଡିବ ।