ପୁରୀ ଓ କେନ୍ଦ୍ରାପଡ଼ା ପାଇଁ ବିଜେଡି ପ୍ରସ୍ତୁତ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ରହିଛି । ବିଜେଡି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନେତୃତ୍ୱ (ସଂସଦୀୟ କମିଟି)ଙ୍କୁ ହସ୍ତାନ୍ତର କରିଛି। ଗତ ଶୁକ୍ରବାର ରାଜ୍ୟ ବିଜେପିର କୋର୍ ଟିମ୍ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିଲା। ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଗ୍ରୀନ୍ ସିଗନାଲ ବିଜେଡି ନେତୃତ୍ୱ ଦେଇଥିବା ଜଣାପଡ଼ିଛି। ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ଆଜିର ବୈଠକରେ ପୁରୀ ସଂସଦୀୟ ଆସନରୁ ଅରୂପ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେଡି ନେତୃତ୍ୱ ସବୁଜ ସଙ୍କେତ ଦେଇଛନ୍ତି। ଏହାଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ,ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି (ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ) ଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଙ୍କେତ ଦିଆଯାଇଛି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଦଳୀୟ ନେତାମାନଙ୍କୁ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ଆଲୋଚନାବେଳେ ସାଂଗଠନିକ ସମ୍ପାଦକଙ୍କ ସମେତ ଦଳୀୟ ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ।