ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ
ରାଜ୍ୟ ସରକାର ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ କରିଛନ୍ତି। ଉନ୍ନୟନ ଆୟୁକ୍ତ ତଥା ଯୋଜନା ଓ ସଂଯୋଜନ ବିଭାଗ ସଚିବ ଥିବା ଦେଓରଞ୍ଜନ କୁମାର ସିଂ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହିତ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି। ସେ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ। ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଥିବା ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏଥିସହ ସେ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତି ଅନୁସାରେ ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପାଇଛନ୍ତି। ସେହିପରି କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ସେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କୁ ଇଡ୍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ପାଦନ କରୁଥିବା ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସରକାରୀ ଉଦ୍ୟୋଗ ପ୍ରମୁଖ ସଚିବ ଏବଂ ଓଏସ୍ଆର୍ଟିସିର ଏମ୍ଡିଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଏନ୍ବିଏସ୍ ରାଜପୁତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। ସେ ପୂର୍ବଭଳି ଓଏସ୍ଆର୍ଟିସିର ଅତିରିକ୍ତ ଦାୟିତ୍ବରେ ରହିବେ। ପଞ୍ଚାୟତିରାଜ ବିଭାଗ ସଚିବ ଗିରୀଶ ଏସ୍ଏନ୍ ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ନୂଆଦିଲ୍ଲୀରେ ସ୍ବତନ୍ତ୍ର ଆବାସିକ ଆୟୁକ୍ତ ଥିବା ମୃଣାଳିନୀ ଦରସ୍ବାଲଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ନିଯୁକ୍ତ କରାଯାଇଛି। ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ତଥା ସମବାୟ ବିଭାଗର ସଚିବ ଥିବା ରାଜେଶ ପ୍ରଭାକର ପାଟିଲଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ, ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ଓ ଓସଡମା ଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ପର୍ଯ୍ୟଟନ ବିଭାଗର ସଚିବ ବଲୱନ୍ତ ସିଂ ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷରେ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ପାଇଛନ୍ତି। କ୍ରୀଡ଼ା ବିଭାଗର ସଚିବ ଏବଂ ଆରଡିସି (ଉତ୍ତରାଞ୍ଚଳ) ଅତିରିକ୍ତ ଦାୟିତ୍ବରେ ଥିବା ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ବ ପାଇଛନ୍ତି। ଓଏମ୍ସି ଏମ୍ଡି ସୁଧାଂଶୁ ମୋହନ ସାମଲଙ୍କୁ ଆରଡିସି (କେନ୍ଦ୍ରାଞ୍ଚଳ) ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ସିଇଓ ତଥା ଓରସାକ୍ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ରଶ୍ମିତା ପଣ୍ଡାଙ୍କୁ ବିଡିଏ ଭିସି ନିଯୁକ୍ତ କରାଯାଇଛି। ଏଥିସହ ସେ ଅତିରିକ୍ତ ଭାବେ ଭୁବନେଶ୍ବର ସ୍ମାର୍ଟସିଟି ଲି. ଏମଡି ଏବଂ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ପାଇଛନ୍ତି। ମତ୍ସ୍ୟ ନିର୍ଦେଶକ ସାଦ୍ଦିକ ଆଲାମଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ସଚିବ ନିଯୁକ୍ତ କରାଯାଇଛି। ଏଥିସହ ସେ କ୍ରୁଟ୍ର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ। ଓଡ଼ିଶା ଉଠା ଜଳସେଚନ ନିଗମ ଏମଡି ତଥା ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଥିବା ମାନସୀ ନିମ୍ଭାଲଙ୍କୁ ମିଶନ ଶକ୍ତି ବିଭାଗର ସଚିବ ନିଯୁକ୍ତ କରାଯାଇଛି। ବୟନ ଓ ହସ୍ତତନ୍ତ ନିର୍ଦେଶକ ଥିବା ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ଶାହାଙ୍କୁ ଓବିସିସିର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଦକ୍ଷିଣାଞ୍ଚଳ ଆରଡିସି ଥିବା ସଂଗ୍ରାମ କେଶରୀ ମହାପାତ୍ର ଆରଡିସି ଉତ୍ତରାଞ୍ଚଳ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।