ସୂର୍ଯ୍ୟକିରଣ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ
ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିଛି। ଶୁକ୍ରବାର (ସେପ୍ଟେମ୍ବର ୧୬)ରେ ସୋ’ ପ୍ରଦର୍ଶିତ ହେବ।
ସୂଚନାଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ।
ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି। ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏହି ଅବସରରେ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆର ଆବାହକ ଯଶୋବନ୍ତ ଓଝା ମଧ୍ୟ ଉପସ୍ଥିତ ଥିଲେ। ଏହି ସୋ’ ପାଇଁ ଲୋକମାନେ ଉତ୍ସାହିତ ଥିବା ବେଳେ ଯେମିତି କୌଣସି ସମସ୍ୟା ନହୁଏ ତେଣୁ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରାଯାଉଥିବା ଡିସିପି କହିଛନ୍ତି।