ବ୍ରହ୍ମପୁରରୁ ପଦ୍ମପୁର ଗଲା ୪୦୦ ବ୍ରେଲି ବାଲଟ୍

ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍‌ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ରହିଛି । ନିର୍ବାଚନ ସମୟରେ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରକୁ ଏହିଠାରୁ ବ୍ରେଲି ବାଲଟ୍‌ ପଠାଯାଉଛି ।

ଗତ ମାସରେ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବ୍ରେଲି ବାଲଟ୍‌ ପଠାଯାଇଥିବା ବେଳେ ବୁଧବାର ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ବ୍ରହ୍ମପୁର ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌ରୁ ୪୦୦ ବାଲଟ୍‌ ପଠାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ପ୍ରମୋଦ କୁମାର ବେହେରା ବରଗଡ ଜିଲ୍ଲା ପାଇକମାଳ ତହସିଲଦାର ଅକ୍ଷୟ ବାଗ୍‌ଙ୍କୁ ବାଲଟ୍‌ ହସ୍ତାନ୍ତର କରିଛନ୍ତି ।

ପଦ୍ମପୁର ଉପନିର୍ବାଚନରେ ଦୃଷ୍ଟିହୀନ ମତଦାତାଙ୍କ ସକାଶେ ଆବଶ୍ୟକ ବ୍ରେଲି ବାଲଟ୍‌ ପ୍ରେରଣ ପାଇଁ ସପ୍ତାହେ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା । ବ୍ରେଲି ପ୍ରେସ୍‌ ମ୍ୟାନେଜର୍‌ ପ୍ରକାଶ କୁମାର ରଥଙ୍କ ତତ୍ତ୍ୱାବଧାନରେ ବ୍ରେଲି ପ୍ରେସ୍‌ରେ ଏହି ବାଲଟ୍‌ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ସ୍ୱାଧୀନ ପ୍ରାର୍ଥୀ ଓ ନୋଟା ଚିହ୍ନ ପ୍ରଦତ୍ତ ବ୍ରେଲି ବାଲଟ୍‌ ପ୍ରସ୍ତୁତି ପରେ ବୁଧବାର ପାଇକମାଳ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଇଛି ।

ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ନଭେମ୍ବର ୫ରେ ଉପନିର୍ବାଚନ ଘୋଷଣା ହୋଇଥିଲା । ଡିସେମ୍ବର ୫ରେ ମତଦାନ ପାଇଁ ଏବେ ବ୍ରେଲି ବାଲଟ୍‌ ବ୍ରହ୍ମପୁରରୁ ପଦ୍ମପୁର ଯାଇଛି।