ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

ଆଜି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସଂପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।