ବାହାନଗା ଟ୍ରେନ୍ ଦୁର୍ଘଟଣା ତଦନ୍ତ ରିପୋର୍ଟ: ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ
ବାହାନଗା: ବାହାନଗା ଟ୍ରେନ୍ ଦୁର୍ଘଟଣା ତଦନ୍ତ ରିପୋର୍ଟ ଆସିଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଇଛି । ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନରେ ଘଟିଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ କରାଯିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ଫଳରେ କରମଣ୍ଡଳ ଟ୍ରେନ୍ ଭୁଲ ଲାଇନରେ ମାଡ଼ି ଯାଇ ଲୁପ୍ ଲାଇନରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହିତ ଧକ୍କା ଖାଇଥିଲା । ବାହାନଗା ବଜାର ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା କମିଶନର ରେଳ ବୋର୍ଡକୁ ଦେଇଥିବା ରିପୋର୍ଟରେ ଏଭଳି ଉଲ୍ଲେଖ କରିଛନ୍ତି । ରେଳ ସୁରକ୍ଷା କମିଶନର ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି । ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ । କିନ୍ତୁ ବାହାନଗା ବଜାର ଷ୍ଟେସନ୍ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍ ଯୋଗାଣ ହୋଇ ନ ଥିଲା । ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ । ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ ।