ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ
ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଝାରପଡ଼ା ଜେଲକୁ ଆସିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ।