ଅର୍ଚ୍ଚନା-ଜଗବନ୍ଧୁ ଝାରପଡ଼ା ଜେଲ୍‌ରେ ପୁଣି ସାକ୍ଷାତ କଲେ

ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ରବିବାର ପୁଣି ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପରସ୍ପରକୁ ଭେଟିଛନ୍ତି । ଜେଲ୍‌ରେ ଭେଟଘାଟ ବେଳେ ଉଭୟଙ୍କ ମୁହଁ ଶୁଖିଯାଇଥିଲା । ଦମ୍ପତ୍ତିଙ୍କ କୋଟି କୋଟି ଟଙ୍କାର ସମ୍ରାଜ୍ୟକୁ ନେଇ ଇଡି ଖୋଳତାଡ଼କୁ ନେଇ ଟେନସନରେ ଥିବା ସୂଚନା ମିଳିଛି ।ଗତ ରବିବାର ପତୀ-ପତ୍ନୀ ଜେଲ୍‌ରେ ପରସ୍ପରକୁ ଭେଟିଥିଲେ । ଏଥର ମଧ୍ୟ ଭେଟିବା ଲାଗି ଉଭୟେ ଗତକାଲିଠୁ ଆବେଦନ କରିଥିଲେ । ଜେଲ୍‌ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଅନୁମୋଦନକ୍ରମେ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଉଭୟଙ୍କ ଜେଲ୍‌ କାର୍ଯ୍ୟାଳୟରେ ଭେଟଘାଟ ହୋଇଥିଲା । ପ୍ରାୟ ୧୫ ମିନିଟ୍‌ ପାଇଁ ଉଭୟେ କଥାବାର୍ତ୍ତା ହୋଇଥିଲେ । ଭେଟଘାଟ ବେଳେ ଜେଲର ସନ୍ତୋଷିନୀ ଦାଶ ଓ ମହିଳା ୱାର୍ଡର ଉପସ୍ଥିତ ଥିଲେ ।

ସୂଚନା ମୁତାବକ, ମାୟାବିନୀ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ମାମଲାରେ ଯେବେଠୁ ଇଡିର ପ୍ରବେଶ ହୋଇଛି । ସେବେଠାରୁ ଉଭୟଙ୍କ ମୁଣ୍ଡରେ ଚଡ଼କ ପଡି଼ଛି । ଉଭୟେ କେମିତି ଏତେ ବଡ଼ ସାମ୍ରାଜ୍ୟର ମାଲିକ ହେଲେ? କେଉଁ ଉପାୟରେ କୋଟି କୋଟି ଟଙ୍କା ସଞ୍ଚିଛନ୍ତି? ସେସବୁର ଭିତିରି ଖବର କେବଳ ଉଭୟଙ୍କ ପାଖରେ ଅଛି । ଯଦି ଇଡି ଏସବୁ ତଥ୍ୟ ଖୋଳି ବାହାର କରିବ । ତେବେ ଆଗକୁ ଅଡୁଆ ବଢ଼ିପାରେ ବୋଲି ସେମାନେ ଆଶଙ୍କାରେ ଅଛନ୍ତି।