ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ 5ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ ଜଣଙ୍କ ପରେ ଜଣଙ୍କୁ ଇଡି ଘନ ଘନ ଜେରା କରୁଛି । ଅର୍ଚ୍ଚନା ସହ କଣ ଆର୍ଥିକ ନେଣଦେଣ ରହିଛି ତାହାର ଖୋଳତାଡ କରୁଛି ଇଡି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ ଜମି ବିକ୍ରେତା ପ୍ରଭାତ ରଞ୍ଜନ ପତି । ସେ ଅର୍ଚ୍ଚନାଙ୍କୁ ଜମି ବିକ୍ରି କରିଥିଲେ । ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା ।

ପ୍ରଭାତ ୨୦୧୭ ମସିହାରେ ଅର୍ଚ୍ଚନାକୁ ଜମି ବିକ୍ରି କରିଥିଲେ ଓଲିଉଡ୍‌ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ମଧ୍ୟସ୍ଥିରେ । ପ୍ରଭାତ ୧୦ ଲକ୍ଷରୁ ଅଧିକ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏହି ଆର୍ଥିକ କାରବାର କାରଣ ଜାଣିବା ପାଇଁ ଇଡି ଗତ ମାସ ୨୦ ତାରିଖରେ ପ୍ରଭାତଙ୍କୁ ନୋଟିସ୍‌ କରି ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲା । ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସେ କିଛି କାଗଜପତ୍ର ଧରି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ଜେରା କରାଯାଇଥିଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡ ନେବା ପାଇଁ କୋର୍ଟରେ ଆବେଦନ କରିବାର ସଂଭାବନା ରହିଛି ।