ଏସ୍ଆଇଟିରେ ଉଠିଲା ଅର୍ଚ୍ଚନା ପ୍ରସଙ୍ଗ
ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲା ରବିବାର ସୁପ୍ରିମ୍ କୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ତଥା ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ନେଇ ଗଠିତ ଏସ୍ଆଇଟି ବୈଠକରେ ଉଠିଥିଲା । ଏହି ମାମଲାର ତଦନ୍ତ ନେଇ କେତେ ଅଗ୍ରଗତି ଘଟିଛି ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଠାରୁ ଜାଣିବାକୁ ଚାହିଁଥିଲେ ଶ୍ରୀ ପଶାୟତ ।ଏନେଇ ଇଡି ମଧ୍ୟ ଏକ ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଅର୍ଚ୍ଚନାଙ୍କ ନିକଟରେ ପ୍ରାୟ ୧୦ କୋଟି ଟଙ୍କାର କଳାଧନ ଠାବ ହୋଇଛି । ମାମଲାରେ ଆୟକର ବିଭାଗ ତଦନ୍ତ କରିବାକୁ ଏସ୍ଆଇଟି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବୈଠକରେ ସିବିଡିଟି, ଇଡି, ଆୟକର ବିଭାଗ, ନାର୍କୋଟିକ୍ସ ବିଭାଗ , ଭାରତର ନିର୍ବାଚନ କମିଶନର ଓ ଭାରତ ସରକାରଙ୍କ ତଦନ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅଧାରୁ ଅଧିକ ଅଂଶ ବାପା ଏସ୍. ନାଗ ନାଁରେ ଲୁଚାଇଥିବାର ଗନ୍ଧ ବାରିଛି ଇଡି । ଶ୍ରୀ ନାଗଙ୍କୁ ହେପାଜତକୁ ନେଇ ଇଡି ରବିବାର ଦିନତମାମ ମାରାଥନ୍ ଜେରା କରିଛି । ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା ଆଜି ତୃତୀୟ ଦିନରେ ଜାରି ରହିଛି ।
ରବିବାର ସକାଳ ୧୦ଟାରେ ଅଚ୍ଚର୍ନାଙ୍କ ବାପା ଶ୍ରୀ ନାଗଙ୍କୁ ଇଡି ଅଫିସକୁ ନିଆଯାଇ ଦିନତମାମ ଜେରା କରାଯାଇଥିଲା । ଗତ ୫ ବର୍ଷରେ ଝିଅ କେତେ ପରିମାଣର ଟଙ୍କା ବାପାଙ୍କୁ ଦେଇଛି? କାହା କାହା ନାଁରେ ବେନାମୀ ସମ୍ପତ୍ତି ଲୁଚାଇ ରଖାଯାଇଛି? ଏସବୁ ଦିଗକୁ ନେଇ ଘନଘନ ପ୍ରଶ୍ନ ପଚରା ଯାଇଥିଲା । ଅର୍ଚ୍ଚନାଙ୍କ ବାପା ମାପିଚୁପି ଉତ୍ତର ରଖୁଥିବା ଇଡି ପକ୍ଷରୁ ସୂଚନା ମିଳିଛି । ପୈତୃକ ଘରୁ ଜବତ ହୋଇଥିବା ମୋବାଇଲ୍ ଫୋନକୁ ଶ୍ରୀ ନାଗଙ୍କ ସାମ୍ନାରେ ଖୋଲାଯାଇଥିଲା । ସେଥିରୁ ମଧ୍ୟ କିଛି ଗୋପନୀୟ ତଥ୍ୟ ମିଳିଥିବା ଇଡି କହିଛି ।