ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସ୍ୱତନ୍ତ୍ର ବିମାନରେ ଆସି ରାତିରେ  ଭୁବନେଶ୍ବରରେ ପହଞ୍ଚିଛନ୍ତି। ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ ଶାହା ଏହି ଅବସରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା । ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ମୋହନ ମାଝୀ, ଗୋଲକ ମହାପାତ୍ର ପ୍ରମୁଖ ବହୁ ନେତା ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଲୋକସେବା ଭବନର କନଭେନସନ୍ ସେଂଟରରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । ଦିନ ୧୧ଟାରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ ହେବ । ଭର୍ଚୁଆଲ ମାଧ୍ୟମରେ ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ ହେବ । ଏହା ସହ କଳାହାଣ୍ଡି କୋକସରା ବ୍ଲକର ମୋଟେରଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡୁଗାଁ ରାସ୍ତାର ସୁଦୃଢୀକରଣ ଓ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟ ରହିଛି ।