ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।ଏହି ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହୋଇଛି। ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ – ଚାରି ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ ୫ରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।