କାର୍ ମାଡ଼ିଯିବାରୁ ୨ କାଉଡ଼ିଆଙ୍କ ମୃତ୍ୟୁ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ନିକଟ ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ ହୋଇଛନ୍ତି । ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ୩୫ ବର୍ଷୀୟା ଅନିତା ସ୍ବାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମୁକୁନା ବେହେରା(୩୨)ଙ୍କର ବ୍ରହ୍ମପୁର ଏମକେସିଜିଠାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନିତା ସ୍ବାଇଁଙ୍କ ଝିଅର ଅବସ୍ଥା ସଂକଟାପନ୍ନ ଥବା କୁହାଯାଉଛି। ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି। ଆସିକା ଋଷିକୂଲ୍ୟା ନଦୀରୁ ପାଣି ନେଇ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର କାଉଡ଼ିଆନେ ଅରଖପୁର ସ୍ଥିତ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ ଭେଟନଈ ନିକଟରେ ଏକ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପରେ ସେମାନଙ୍କୁ ଆସିକାରୁ ବ୍ରହ୍ମପୁର ପଠା ଯାଇଥିବା ବେଳେ ସେଠାରେ ପୁଣି ମୁକୁନା ବେହେରାଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ମୃତକ ଅନିତା ସ୍ବାଇଁଙ୍କ ୧୮ ବର୍ଷୀୟା ଝିଅ ସୋନିଆ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଥିବା ସୂଚନା ରହିଛି।