ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆଜିଠୁ

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ ।ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ବାବଦରେ ବୁଝାଇବେ ଫାଇଭ-ଟି ସଚିବ । ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସଠିକ୍ ଢଙ୍ଗରେ ପହଞ୍ଚାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ । ଫୋକସରେ ରହିବ ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ।
ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବେ । ଆମ ହସ୍ପିଟାଲ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ସଚିବ । ସେହିଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍‌ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ ।ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ବ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ ।