ଢେଙ୍କାନାଳରେ ନିର୍ମିତ ହାଇଲେବୁଲ ସେତୁ ମହିମା ସେତୁ ନାଁରେ ନାମିତ

ଢେଙ୍କାନାଳ: ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲାରେ ନିର୍ମିତ ହାଇଲେବୁଲ ସେତୁ ମହିମା ସେତୁ ନାଁରେ ନାମିତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଯୋରନ୍ଦା ଗାଦି ପୀଠରେ ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲାର ଯୋରନ୍ଦା, କାଲୁରିଆ ଓ ଗୋରଡ଼ିଆ ରାସ୍ତାରେ ଥିବା ବ୍ରାହ୍ମଣୀ ନଦୀ ଉପରେ ଏହି ହାଇଲେବଲ ସେତୁ ନିର୍ମାଣ ହୋଇଛି । ଯାହାର ନାମ ରଖାଯାଇଛି ମହିମା ସେତୁ । ସେତୁ ନିର୍ମାଣ ଦ୍ବାରା ଯୋରନ୍ଦା ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେଉଛନ୍ତି। ୧୮୬୨ ଦଶମିକ ୧୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ହାଇଲେବଲ ସେତୁ ନିର୍ମାଣରେ ଖର୍ଚ୍ଚ ହୋଇଛି ୨୫୪ କୋଟି ୬୨ ଲକ୍ଷ ଟଙ୍କା ।  ଏହି ସେତୁ ଜନକଲ୍ୟାଣକାରୀ ଯୋଜନାକୁ ପାଦେ ଆଗକୁ ନେଇଛି ।