ଭୁଲ୍‌ରେ ସୁଭଦ୍ରା ଯୋଜନରୁ ବାଦ୍‌ ପଡ଼ିଥିବା ୮ ହଜାର ମହିଳା ପୁଣି ହେଲେ ସାମିଲ

ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା ସୁବିଧା ଉପଲବ୍ଧ କରାଯାଇଛି। ଏହାଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ୍‌ (ଅପ୍ଟ ଆଉଟ୍‌) ପକାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ। ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ସୁବିଧା ଉପଲବ୍ଧ ହେବା ପରେ ଏପର୍ଯ୍ୟନ୍ତ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃ ସାମିଲ ହୋଇସାରିଛନ୍ତି। ଯେଉଁମାନଙ୍କର ଭୁଲରେ ନାମ ବାଦ୍‌ ହୋଇଯାଇଥିଲା, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହିପରି ଖୁବ୍‌ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏବେ ମଧ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ତେଣୁ ସେମାନେ ଯୋଗ୍ୟବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ‘ମୋ ସେବା କେନ୍ଦ୍ର’କୁ ଯାଇ ବାୟୋମେଟ୍ରିକ୍‌ ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।