୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଏବଂ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ (୭ମ ବେତନ ହାର) ଅନୁସାରେ ଜାନୁଆରି ୨୦୨୨ରୁ ଅନୁଦାନ ପ୍ରଦାନ କରାଯିବ। ଏହାଦ୍ବାରା ୧୫,୭୭୧ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବର୍ଦ୍ଧିତ ଅନୁଦାନ ପାଇ ଉପକୃତ ହେବେ। ରାଜ୍ୟ ସରକାର ବାର୍ଷିକ ୨୯୦କୋଟି ‌ଟଙ୍କାର ଆର୍ଥିକ ବୋଝ ବହନ କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାସହ ୧୨ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଓଡ଼ିଶା (ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟ, ସାହାଯ୍ୟପ୍ରାପ୍ତ କନିଷ୍ଠ ମହାବିଦ୍ୟାଳୟ ଏବଂ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ) ସହାୟକ ଅନୁଦାନ ଆଦେଶ ୨୦୧୭ ମାଧ୍ୟମରେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ,୨୦୦୮ ଅନୁସାରେ ଅନୁଦାନ ପାଇ ଆସୁଥିଲେ, ସେମାନଙ୍କ ନିମନ୍ତେ ଓଡ଼ିଶା (ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟ, ସାହାଯ୍ୟପ୍ରାପ୍ତ କନିଷ୍ଠ ମହାବିଦ୍ୟାଳୟ ଏବଂ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ) (ସଂଶୋଧନ) ନୀତି, ୨୦୨୨ ଦ୍ବାରା ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଯାହା ୧.୧.୨୦୧୮ଠାରୁ ଭାବନାତ୍ମକ ଭାବରେ ଏବଂ ୧.୧.୨୦୨୨ ଠାରୁ ପ୍ରକୃତ ଆର୍ଥିକ ଲାଭ ଭିତ୍ତିରେ ଲାଗୁ କରାଯାଇଥିଲା। କିନ୍ତୁ କେତେକ ବର୍ଗର କର୍ମଚାରୀ ଏହି ବର୍ଦ୍ଧିତ ଅନୁଦାନକୁ ‌ନଇ ଅସନ୍ତୁଷ୍ଟ ଥିଲେ ଏବଂ ସେମାନଙ୍କ ଉଦ୍‌ବେଗକୁ ବିଚାର କରି ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭କୁ ଆଧାର କରି ଜାନୁଆରି ୨୦୨୨ ଠାରୁ ବେତନ ସଂଶୋଧନ କରିବା ନିମନ୍ତେ ସ୍ଥିର କରାଯାଇଛି।