ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି । ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ  ସୁଭାଷ ସରକାର ଉଦଘାଟନୀ ବକ୍ତବ୍ୟ ରଖିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ  କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ  ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ  ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି 

ଶ୍ରୀ ସୁଭାଷ ସରକାର କହିଥିଲେ ଯେ, ଭାରତର ଅଧ୍ୟକ୍ଷତା ଅଧୀନରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଗୁଣବତ୍ତା ଓ ପରିଣାମରେ ସୁଧାର ଆଣିବା ଲାଗି ସାଧାରଣ ବାସ୍ତବତା ଉପରେ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛି ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଡଷ୍ଟ୍ରୀ 4.0 ଏବଂ ୱେବ 3.0 ଆଦି ଉଲ୍ଲେଖନୀୟ ଭାବେ କାର୍ଯ୍ୟସ୍ଥଳୀ ଉପରେ ପ୍ରଭାବ ପକାଇବ ।

ଏହି ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’। ସେମିନାର ସହିତ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ।

ସେମିନାରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା, ସରକାର ଏବଂ ସିଙ୍ଗାପୁର ଉଚ୍ଚାୟୁକ୍ତର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ଥାନ ପାଇଥିବା ବିଷୟବସ୍ତୁଗୁଡ଼ିକ ହେଲା : ‘ଭବିଷ୍ୟତର କାର୍ଯ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗୁରୁତ୍ୱାରୋପ ସହିତ ଗଭୀର ପ୍ରଯୁକ୍ତି ବା ଡିପ୍‌ ଟେକ୍‌’, ‘ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ – ଉପକୂଳ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ’ ଏବଂ ‘ଦକ୍ଷତା ଢାଞ୍ଚା ଓ ପ୍ରଶାସନିକ ମଡେଲ – ସିଙ୍ଗାପୁର ମଡେଲରୁ ଅଧ୍ୟୟନ’।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଠାରୁ ଏକ ମାସ ଧରି ରାଜ୍ୟବ୍ୟାପୀ ‘ଜନ ଭାଗିଦାରୀ’ ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ଯୁବବର୍ଗ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା, ଗଣଦୌଡ଼, ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ଯୋଗ ଶିବିର, ପ୍ରଶ୍ନୋତ୍ତର, ବକ୍ତୃତା, ବିତର୍କ ପ୍ରତିଯୋଗିତା, ଛାୟା ଜି୨୦ ସମ୍ମିଳନୀ ଏବଂ ଆହୁରି ଅନେକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯାଇଥିଲା।