ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୧୫ରେ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଏହାର ଅବ୍ୟବହିତ ପୂର୍ବରୁ ଜାନୁଆରୀ ୧ରୁ ୧୨ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ନିଜ ସୁବିଧା ଅନୁସାରେ ଏହି ତାରିଖ ଭିତରେ ପରୀକ୍ଷା କରିବେ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୬ ରୁ ୩୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୫ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ କରିବା ପାଇଁ ପୂର୍ବରୁ ସିଏଚ୍ଏସ୍ଇ ଯୋଜନା କରିଥିଲା। ମାତ୍ର ବର୍ତ୍ତମାନ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇ ନ ଥିବାରୁ ଫର୍ମପୂରଣ ପାଇଁ ଓକାକ ମନା କରି ଦେଇଥିବା ଜଣାପଡ଼ିଛି। ଫଳସ୍ୱରୂପ ଯୁକ୍ତ ଦୁଇ ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।
ଆସନ୍ତା ବର୍ଷ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ପ୍ରୋଜେକ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ମାର୍କର ଥିଓରୀ ଓ ୫୦ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ।
ତେବେ ନନ୍ପ୍ରାକ୍ଟିକାଲ ବିଷୟଗୁଡ଼ିକରେ ୮୦ମାର୍କର ଥିଓରୀ ଏବଂ ୨୦ମାର୍କର ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ମାର୍କର ଥିଓରୀ ଏବଂ ୧୦ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରାକ୍ଟିକାଲ/ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାସ୍ ହେବା ପାଇଁ ମୋଟ ୮୦ମାର୍କରୁ ୨୪ ମାର୍କ ଅର୍ଥାତ୍ ୩୦% ରଖିବାକୁ ପଡ଼ିବ। ସେହିଭଳି ୨୦୨୨ରେ ନାମଲେଖାଇଥିବା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କର କିଭଳି ମାର୍କ ଦିଆଯିବ ସେ ନେଇ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।