୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ତାହା ଭାବିଲେ ଏବେ ବି ମନ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥାଏ। ଜଗତସିଂହପୁର ଜିଲାର ଏରସମା ଓ ପାରାଦ୍ୱୀପ ଅଞ୍ଚଳ ବିଶେଷ ଭାବେ ମହାବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ବ ଜୀବନ ଓ ଲକ୍ଷାଧିକ ସଂଖ୍ୟାରେ ଗୃହପାଳିତ ପଶୁ ଜୀବନ୍ତ ସମାଧି ନେଇଥିବାର ସେ କରୁଣ ଓ ହୃଦୟବିଦାରକ ଚିତ୍ର ଏବେବି ଏରସମାବାସୀଙ୍କୁ ଭୟ ଓ ଅହେତୁକ ଆଶଙ୍କାରେ ଜର୍ଜରିତ କରିଦେଉଛି। ଏହି ମହାବାତ୍ୟାକୁ ଇତି ମଧ୍ୟରେ ୨୬ ବର୍ଷ ପୂରିବାକୁ ବସିଲାଣି।
ସମଗ୍ର ଏରସମା ଅଞ୍ଚଳରେ ଏହି ମହାବାତ୍ୟାର ସ୍ମୃତିକୁ ମନେ ପକାଇ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ମହାବାତ୍ୟାର ସ୍ମୃତିଚାରଣ ସହିତ ପ୍ରଶାସନ ତରଫରୁ ବାତ୍ୟା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହେଉଛି। ୧୯୯୯ ମସିହାର ସେହି ମହାବାତ୍ୟାର କାଳରାତ୍ରି ଦୀର୍ଘ ୩୬ ଘଣ୍ଟାର ତାଣ୍ଡବଲୀଳା ଓ ପବନର ବେଗ ଘଣ୍ଟାକୁ ପ୍ରାୟ ସାଢ଼େ ୩୦୦ କି.ମି ବେଗ ବଙ୍ଗୋପସାଗର କୂଳବର୍ତ୍ତୀ ବ୍ଲକ ଏରସମାକୁ ଏକ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିଲା। ସେତେବେଳ ପବନର ବେଗକୁ ବେଗ ମାପକ ଯନ୍ତ୍ର ଏନୋମିଟର ମଧ୍ୟ ରେକର୍ଡ କରିବା ପାଇଁ ଅସମର୍ଥ ହୋଇ ପଡ଼ିଥିଲା। ୧୯୯୯ ମସିହା ୨୯ ତାରିଖର ସେହି ମହାବାତ୍ୟା ମହାକାଳ ରାତ୍ରି ଅତ୍ୟନ୍ତ ଭୟଙ୍କର ଥିଲା। ସମୁଦ୍ର ଉପକୂଳବର୍ତ୍ତୀ ଶିଆଳୀ ଗ୍ରାମ ଠାରୁ ଆରମ୍ଭ କରି ଜପା ପଞ୍ଚାୟତର ଦହିବର, ଝାଟିପାରୀ, ଖୋଳପ, ଧୋବେଇ ଜଙ୍ଗଲ, ଆମ୍ବିକିର କାଙ୍କଣ, ଗଡ଼ବିଶୁନପୁରର ନଳଭେଡି, ବାଲିକୁଦାର ବନ୍ଦର ମରିଚପୁର, ନହରଣା, ବୋରିକିନା, ତିତିରା ସହିତ ପଦ୍ମପୁର ପଞ୍ଚାୟତର ଶତାଧିକ ଗ୍ରାମଗୁଡ଼ିକେର କୁଢ଼ କୁଢ଼ ଶବ ପଡ଼ି ରହିଥିବାର ଦୃଶ୍ୟ ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରୀ ଉଠେ। ଦିନ ଚାଲି ଯାଇଛି ହେଲେ ୧୯୯୯ ମହାବାତ୍ୟାର ଅନେକ ଲୋମହର୍ଷଣକାରୀ ଦୁଃଖ, ବିଚ୍ଛେଦ ଓ ଯନ୍ତ୍ରଣାର କ୍ଷତ ଏବଂ କ୍ଷତିର ଚିହ୍ନ ଏବେବି ଏରସମାର ୨୫ଟି ପଞ୍ଚାୟତବାସୀଙ୍କ ମନରୁ ଲିଭି ପାରିନାହିଁ।
ଏବେ ବି ଜପା ପଞ୍ଚାୟତର ଦହିବର ଗ୍ରାମର ଜନସାଧାରଣ କୋହଭରା କଣ୍ଠରେ ବାତ୍ୟାର ସ୍ମୃତିକୁ ମନେ ପକାଇ ସେ ଦିନର ସେହି କାହାଣୀକୁ ଆଜି ବି ଭୁଲି ପାରୁନାହାନ୍ତି। ସେହିପରି ଦହିବର ଗ୍ରାମର ଜଗଦ୍ଦୀଶ ମଣ୍ଡଳଙ୍କର ୪୦ଜଣ ସଦସ୍ୟଙ୍କ ମଧ୍ୟରୁ ୩୫ ଜଣଙ୍କ ଜୀବନଦୀପ ମହାବାତ୍ୟାରେ ଲିଭିଯାଇଥିଲା। କିଆଦା ଗ୍ରାମର ନାରାୟଣ ମଣ୍ଡଳ କୋହଭରା କଣ୍ଠରେ କୁହନ୍ତି ତାଙ୍କ ପରିବାରର ୨୨ଜଣଙ୍କୁ ଏହି ମହାବାତ୍ୟାରେ ସେ ହରାଇ ସ୍ମୃତିରେ ଦୁଃଖ ଓ ଯନ୍ତ୍ରଣା ସାଉଁଟିଛନ୍ତି। ସେହି ପ୍ରଳୟଙ୍କାରୀ ମହାବାତ୍ୟାରେ ଜୀବନ ବଞ୍ଚାଇବା ପାଇଁ କେତେକ ଗଛରେ ଚଢ଼ି ଯାଇଥିଲେ। ମଇଁଷି ଜଗିଥିବା ମଇଁଷାଳମାନେ ମଧ୍ୟ ଏହି ମହାବାତ୍ୟାରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲେ। ମହାବାତ୍ୟାରେ ଦହିବର ଗ୍ରାମର ୫୮୭ ଜଣଙ୍କର ମୃତ୍ୟୁ ଓ ଗଡ଼ବିଶୁନପୁର, ନଳଭେଡି ଗ୍ରାମର ୩୮୭ ଜଣଙ୍କର ମୃତ୍ୟୁ ଏବେବି ସ୍ମୃତିସ୍ତମ୍ଭ ନିକଟରେ ସ୍ମୃତିଚାରଣ ସଭା କରି ଗ୍ରାମବାସୀଙ୍କ ମଧ୍ୟରେ କୋହ ଓ ହୃଦୟ ବିଦାରକ ଉଦ୍ବେଳନର ପ୍ରକାଶ ପାଇଥାଏ। ତେବେ ମହାବାତ୍ୟାର ୨୬ ବର୍ଷ ପରେ ମଧ୍ୟ ଏରସମା ଅଞ୍ଚଳର ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମିତ ହୋଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏରସମାରେ ମହାରଷ୍ଟ୍ର ସରକାର ତରଫରୁ ଅନେକ ଶିକ୍ଷାନୁଷ୍ଠାନରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ଏହାର ନିରାକରଣ ପାଇଁ କାହାର ନିଘା ନଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୬ ବର୍ଷ ମଧ୍ୟରେ ମହାବାତ୍ୟାର ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ଅନେକ ପ୍ରଗତିମୂଳକ କାର୍ଯ୍ୟକ୍ରମ ଏ ଅଞ୍ଚଳବାସୀଙ୍କ ପାଇଁ କରାଯାଇଥିଲେ ମଧ୍ୟ ଅନେକ କାମ ଅଧୁରା ହୋଇପଡ଼ିରହିଛି। ବିଶେଷକରି ଗଡ଼ବିଶୁନପୁର ପଞ୍ଚାୟତ ନଳଭେଡି ଓ ଆମ୍ବିକି ପଞ୍ଚାୟତର ହଣାଗୋଠ, ଗଡ଼ହରିଶପୁର ପଞ୍ଚାୟତର ଶୁଆକୁଣ୍ଡ, ଘାସୁଆ ଓ ପାତୁଆ ଗ୍ରାମ, ପଦ୍ମପୁରର ଶଙ୍ଖା ଗ୍ରାମ ଓ ଦହିବରକୁ ଏପର୍ଯ୍ୟନ୍ତ ସବୁ ଦିନିଆ ପିଚୁ ରାସ୍ତା ଖଣ୍ଡେ କରାଯାଇ ପାରିନାହିଁ।
ଅନ୍ୟପଟେ ଏହି ସ୍ମୃତି ଦିବସ ପାଳନ ଉପଲକ୍ଷେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ମତାମତ ଜାଣିବାରେ ସେ କୁହନ୍ତି, ୧୯୯୯ ମସିହାର ମହାବାତ୍ୟାରେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ଉଜୁଡା ଏରସମାର ଚିତ୍ରକୁ ବଦଳାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାତ୍ୟା ଆଶ୍ରୟସ୍ଥଳୀ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଇଛି। ଆଜି ଏରସମା ବ୍ଲକ ଓଡ଼ିଶାର ଏକ ଆଗୁଆ ବ୍ଲକ ରୂପେ ପରିଗଣିତ ହେଉଛି। ଆହୁରି ବି ଅନେକ କାର୍ଯ୍ୟ ବାକି ରହିଛି ଯାହାକି ଆଗାମୀ ଦିନରେ ନିଶ୍ଚିତ କରାଯିବାର ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି।