ସରିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ
ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉଦଯାପନୀ ଅଧିବେଶନରେ ଯୋଗ ଦେଇ କହିଛନ୍ତି ଯେ, ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ୧୦.୫୦ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ଓ ପ୍ରାୟ ୧୦.୫୦ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । କରୋନା ମହାମାରୀ ପରେ ଏତେ ପରିମାଣର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏସବୁକୁ କାର୍ଯ୍ୟକାରୀ କରି ଅଭିବୃଦ୍ଧି କ୍ଷେତ୍ରରେ ନୂଆ ଯୁଗ ଓଡ଼ିଶାରେ ଆରମ୍ଭ କରିବାକୁ ସମସ୍ତେ ମିଶି କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ମାଧ୍ୟମରେ ରାଜ୍ୟରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୦ଲକ୍ଷ ୩୭ହଜାର ୭୦୧ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହି କନକ୍ଲେଭ ମାଧ୍ୟମରେ ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିନେରାଲସ୍, ମେଟାଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ମୋଟ ୧୪୫ଟି ପ୍ରସ୍ତାବ ମିଳିଛି । ଏହାଦ୍ୱାରା ରାଜ୍ୟରେ ୫.୫୦ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ତଥା ୩ଲକ୍ଷ ୫୫ହଜାର ୬୧୫ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।