ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦ, ପାଠର ଧ୍ୱନୀ ଆଉ ସଂକିର୍ତନ ଭିତରେ ଏହି ଐତିହ କରିଡର ଉଦ୍ଘାଟନ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

କାଳିଆର ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଭକ୍ତିଭାବମୟ ପରିବେଶ । ଲୋକେ ନିରାମିଷ ଖାଇବା ସହ ଜଗନ୍ନାଥଙ୍କ ପାଇଁ ଦୀପଟିଏ ଜାଳି ସରକାରଙ୍କ ପ୍ରୟାସରେ ଖୁସି ବ୍ୟକ୍ତ କରିଛନ୍ତି ।ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞର ଅନ୍ତିମ ଦିନରେ ଜନସାଧାରଣଙ୍କ ଉଦେଶ୍ୟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧି ମୁତାବକ ଲୋକାର୍ପଣ ଶିଳାର ପୂଜାର୍ଚ୍ଚନା ପରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜା ଶିଳାରେ ଚନ୍ଦନ ଲଗାଇ ପୁଷ୍ପ ଚଢ଼ାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଉ ଶିଳା ଦେହରେ ସୁବର୍ଣ୍ଣ ରଂଗର ଖୋଦିତ ହୋଇଥିବା ଓଁ, ଜୟ ଜଗନ୍ନାଥ ନମଃ ବେଶ ଆକର୍ଷଣୀୟ ହୋଇଛି ।
ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବା ପରେ ପରେ, ମହାଯଜ୍ଞର କର୍ତା ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ଣ୍ଣାହୂତି ଦେଇଛନ୍ତି । ବେଦପାଠ ଓ ନାମ ସଂକୀର୍ତନ ଭିତରେ ଯଜ୍ଞର ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀ ମଧ୍ୟ ଦିବ୍ୟ ଯଜ୍ଞରେ ପୁଷ୍ପାଞ୍ଜଳି ଦେଇଛନ୍ତି

ଶ୍ରୀଜଗନ୍ନାଥ ପ୍ରକଳ୍ପ ପରିକ୍ରମା ଉଦଘାଟନ ଉପଲକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଧାର କରି ନାଟକ ପରିବେଷଣ କରାଯାଉଛି ।