ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ
ମେଟ୍ରୋ ଟିଭି ଓଡିଶା (୧୪.୫.୨୦୨୨)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ କରିଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ। ଏହି ଷ୍ଟାଡିୟମ ନିର୍ମାଣ କାମର ନିୟମିତ ଅଗ୍ରଗତି ସମୀକ୍ଷା କରାଯାଉଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି । ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହୋଇଯିବ। ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚଗୁଡ଼ିକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିପିୟୁଟି କ୍ୟାମ୍ପସରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।
ପୁରୁଷ ବିଶ୍ଵକପ ହକିକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ଅନେକ ଉନ୍ନୟନମୂଳକ କାମ ଚାଲିଛି। ବିଶେଷକରି ପାର୍କଗୁଡ଼ିକର ବିକାଶ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।