ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା

ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା

ମେଟ୍ରୋ ଟିଭି ଓଡିଶା,୩୧/୧ : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ଫେବ୍ରୁଆରୀରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।


ଏବେ ରାଜ୍ୟରେ ଶୀତ ଲହରି ଜାରି ରହିଛି । ଶୀତ ଆହୁରି ୨୪ ଘଣ୍ଟା ଅନୁଭୂତ ହେବ । ସୋମବାର ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡା, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡିରେ ଶୀତ ଲହରୀ ବହିବ । ସୋମବାର ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିଯିବ । ଫଳରେ ଶୀତ କମିବ । ୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି । ୫ ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୧ ଓ ୨ ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଅନୁଭୂତ ହେବ ।


ସୂଚନା ଅନୁସାରେ,୪ ଓ ୫ ତାରିଖ ସକାଳ ବେଳା ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷିବ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡ଼ା ଓ ସୁନ୍ଦରଗଡରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ଦୁଇ ଦିନ ପ୍ରାୟ ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କିଛି ସ୍ଥାନରେ ଅଧିକ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ।