ମେଟ୍ରୋ ଟିଭି ଓଡିଶା,୧୧/୨ : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱି ପ୍ରାର୍ଥୀମାନଙ୍କର ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କିଏ ଦୀର୍ଘଦିନ ଧରି ପଞ୍ଚାୟତରେ ରହିଥିବା ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପ୍ରତିଶ୍ରୁତି ଦେଉଥିବା ବେଳେ ଅନ୍ୟ କେହି ଗ୍ରାମର ବିକାଶ ପାଇଁ ଶାସନ ପରିବର୍ତ୍ତନର ଜରୁରୀ କହି ନୂତନ ଆଶା ଦେଖାଉଛନ୍ତି । ଲୋକ ମଧ୍ୟ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଜ ମନରେ ବାଛି ସାରିଲେଣି।ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ।
ପୁରୀ କାଶିହରିପୁର ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଜଣେ ବିଦେଶିନୀ । ଜଣେ ବିଦେଶୀ ଓଡ଼ିଆ ବୋହୂ ହୋଇ ସାଲୱାର ଓ ହାତରେ ଶଙ୍ଖା ପିନ୍ଧି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଦୀର୍ଘ ୬ବର୍ଷ ଧରି ରହିଆସୁଥିବା ଇଜାବେଲ ନାମ୍ନୀ ଜଣେ ଫ୍ରାନ୍ସ ବଂଶଜ ମହିଳା ହାତରେ ଚକୋଲେଟ ଡବାଟିଏ ଧରି ପ୍ରଚାର କରୁଥିବା ଚିତ୍ର ବେଶ୍ ଚର୍ଚ୍ଚାରେ ରହିଛି। ନିର୍ବାଚନ ମଇଦାନରେ ଅବତରଣ ହୋଇଥିବା ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା, ସମିତି ସଭ୍ୟ ପ୍ରାର୍ଥୀ ପ୍ରଦୀପ ଭାନୁ ଘଟୁଆରୀଙ୍କ ପାଇଁ ପ୍ରଚାର କରୁଛନ୍ତି।
ସେହିପରି ପୁରୀ ସଦର ଗୋପୀନାଥପୁର ପଞ୍ଚାୟତରେ ପ୍ରାର୍ଥୀମାନେ ବୁଧବାର ଏକ ନିଆରା ଢଙ୍ଗରେ ପ୍ରଚାର କରୁଥିଲେ। ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଶୁଭଲକ୍ଷ୍ମୀ ରାଉତଙ୍କ ଚିହ୍ନ ଖୋଲା ବହି ହୋଇଥିବାରୁ ସେ ହାତରେ ଖୋଲା ବହି ଧରି ଘର ଘର ବୁଲି ପ୍ରଚାର ଚଳାଇଥିଲେ। ସେହିପରି ଏମ୍ସିଏ ଛାତ୍ରୀ ଅଲିଭା ରାଉତ ସମିତି ସଭ୍ୟ ପ୍ରାର୍ଥତ୍ନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ଚିହ୍ନ କେଟ୍ଲି ହୋଇଥିବାରୁ ସେ ମଧ୍ୟ ହାତରେ କେଟ୍ଲି ଧରି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦୃଷ୍ଟିଗୋଚର ହୋଇଥିଲା। ତେବେ ଉଭୟ ପ୍ରାର୍ଥୀଙ୍କ ପ୍ରଚାରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସହ ଭାଜପା ନେତ୍ରୀ ଓ କର୍ମୀମାନେ ସାମିଲ ଥିଲେ।