ଜନସାଧାରଣଙ୍କୁ ଏହି ନିବେଦନ କଲେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ଓଡ଼ିଶା (୮.୬.୨୦୨୨ )

ଅସହାୟ ପ୍ରାଣୀଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ଷ୍ଟେଟ୍ ଆନିମଲ ହେଲ୍ପ ଲାଇନ, ଟେଲି ଭେଟେରିନାରୀ ସେବା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଏଥିପାଇଁ ଟୋଲ ଫ୍ରି ନମ୍ବର ୧୯୬୨ ଜାରି କରାଯାଇଛି । ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ପରିତ୍ୟକ୍ତ ପ୍ରାଣୀମାନଙ୍କ ପ୍ରତି ଜନସାଧାରଣ ସମ୍ବେଦନଶୀଳ ହେବା ଜରୁରୀ । ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀଙ୍କ ସୁରକ୍ଷା, କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ସହରାଞ୍ଚଳ ହେଲପ୍ ଲାଇନ ୟୁନିଟ୍ ସହିତ ପ୍ରାଣୀ ଆମ୍ବୁଲାନ୍ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି । ଏଥିପାଇଁ ଅଣସରକାରୀ ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲପ ଲାଇନ ନମ୍ବର ୧୯୬୨ ଚବିଶ ଘଣ୍ଟା ଧରି କାର୍ଯ୍ୟକାରୀ ହେବ । ଏହାଦ୍ୱାରା ଜରୁରୀ ସମୟରେ ପ୍ରାଣୀମାନେ ଚିକିତ୍ସା ସେବା ପାଇପାରିବେ । ୧୯୬୨ କିମ୍ବା ୧୫୫୩୩୩ ନମ୍ବରକୁ ଫୋନ କଲେ ତୁରନ୍ତ ସହାୟତା ମିଳିପାରିବ । ରାଜ୍ୟର ୧୧ଟି ସହରରେ ଆନିମଲ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଥିବା ବେଳେ ପ୍ରତ୍ୟେକ ବ୍ଲକରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ଉପଲବ୍ଧ ହେଉଛି ।