ଓଡ଼ିଶାରେ ବଢୁଛି ଜଳ ସମସ୍ୟା
ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି । ଜଳସମ୍ପଦ ବିଭାଗ ତରଫରୁ ମେ’ ୭ ତାରିଖରେ ରାଜ୍ୟର ସବୁ ଜିଲ୍ଲାରୁ ଏହାର ତଥ୍ୟ ମଗାଯାଇଛି ।ଖବର ଅନୁସାରେ, ଜଳ ସମ୍ପଦ ବିଭାଗ ସଚିବ ଆରତୀ ରାଉତ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜଳନୀତି -୨୦୦୭ ଅନୁସାରେ ରାଜ୍ୟରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ କୁହାଯାଇଛି । ମାତ୍ର ରାଜ୍ୟରେ ଜନସଂଖ୍ୟା ବହୁଳ ବୃଦ୍ଧି ହେଉଛି । ଏହାକୁ ଆଖି ଆଗରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଉଛି । ସେହି ତାଲିକାରେ କେଉଁ ଜିଲ୍ଲାରେ କେତେ ଜନସଂଖ୍ୟା ରହିଛି ଏବଂ ସେମାନଙ୍କ ଲାଗି କେତେ ପରିମାଣରେ ଜଳର ଆବଶ୍ୟକତା ରହିଛି ଇତ୍ୟାଦି ତଥ୍ୟ ରହିବ । ଏହାକୁ ନେଇ ଜିଲ୍ଲା ଗୁଡିକର ତାଲିକା ପ୍ରସ୍ତୁତ କରିବାରୁ ଜଳ ସମ୍ପଦ ବିଭାଗ ସଚିବ ପତ୍ର ଲେଖି ଅବଗତ କରିଛନ୍ତି ।କିଛିଦିନ ପୂର୍ବେ ରାୟଗଡା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ହିଞ୍ଜିଳି ଭଳି ଦୁର୍ଗମ ଅଞ୍ଚଳରେ ପାନୀୟ ଜଳର ଏକ ଗୁରୁତର ସମସ୍ୟା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ଅନେକ ଅଞ୍ଚଳରେ ଲୋକମାନେ ପିଇବା ପାଣି ଲାଗି ମାଇଲ ମାଇଲ ବାଟ ଚାଲୁଛନ୍ତି । ଏହି ପରିସ୍ଥିତି ଦେଖି ସେଠାକାର କିଛି ଯୁବଗୋଷ୍ଠୀ ନିଜସ୍ୱ ଖର୍ଚ୍ଚରୁ ପାଇପ ଜରିଆରେ ପାନୀୟ ଜଳର ସୁବିଧା କରୁଥିବା ମଧ୍ୟ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା ।