ରୋହିତ ୧୩୧ ରନ କରି ଆଉଟ :ପ୍ରଥମ ଦିନରେ ଭାରତ ୩୨୬/୫

ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତକୁ ସମ୍ଭାଳିଛନ୍ତି ୩ ଖେଳାଳି। ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଯୁବ ବ୍ୟାଟର ସର୍ଫରାଜ ଖାନ ନିଜର ଦମ ଦେଖାଇଛନ୍ତି। ଏହି ୩ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ୫ ୱିକେଟ ହରାଇ ୩୨୬ ରନ କରି ନେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ ।

ରୋହିତ ୧୩୧ ରନ କରି ଆଉଟ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି। ଡେବ୍ୟୁ ମ୍ୟାଚ୍‌ରେ ସର୍ଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୬୨ ରନ କରି ରନଆଉଟ ହୋଇଯାଇଛନ୍ତି। ଆସନ୍ତାକାଲି ଜାଡେଜା ଓ କୁଲଦୀପ ଯାଦବ(୧) ଭାରତୀୟ ଇନିଂସକୁ ଆଗକୁ ନେବେ।

ରାଜକୋଟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ସହ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ ହେଁ ଭାରତକୁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୨ ଥିବା ବେଳେ ଜୈସୱାଲ ମାତ୍ର ୧୦ ରନ କରି ମାର୍କ ଉଡଙ୍କ ବଲରେ ଆଉଟ ହୋଇଥିଲେ।