ଭାରତ-ୱେଷ୍ଟଇଣ୍ଡିଜ ସିରିଜରେ ଭାଷ୍ୟକାର ପଦରୁ ବାଦ୍ ପଡିଲେ ରବି ଶାସ୍ତ୍ରୀ
ମେଟ୍ରୋ ଟିଭି ଓଡିଶା,୨୮/୧ : ବିସିସିଆଇ ଆଗାମୀ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ସିରିଜ ପାଇଁ ଜାରି କରିଥିବା ଭାଷ୍ୟକାର ତାଲିକାରେ ରବି ଶାସ୍ତ୍ରୀଙ୍କ ନାଁ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର କ୍ରିକେଟ୍ ସିରିଜ ପାଇଁ ବିସିସିଆଇ ପକ୍ଷରୁ ୭ଜଣିଆ ଭାଷ୍ୟକାର ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ୬ଜଣ ଭାରତୀୟ ରହିଛନ୍ତି । ସେମାନେ ହେଲେ ସୁନିଲ ଗାଭାସ୍କର, ଏଲ୍ ଶିବରାମକ୍ରିଷ୍ଣନ, ହର୍ଷା ଭୋଗଲେ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା ଏବଂ ଅଜିତ୍ ଅଗରକର । ୱେଷ୍ଟଇଣ୍ଡିଜର ଇଆନ ବିଶପ ଅନ୍ୟତମ ସଦସ୍ୟ ରହିଛନ୍ତି । ଏହି ୭ଜଣ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାଷ୍ୟକାର ଦାୟିତ୍ୱ ତୁଲାଇବେ । ସେହିପରି ଟି-ଟ୍ୱେଣ୍ଟି ସିରିଜରେ ଶିବରାମକ୍ରିଷ୍ଣନଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଭାଷ୍ୟକାର ଦାୟିତ୍ୱ ନିର୍ବାହ କରିବେ ।
ସୂଚନା ଅନୁସାରେ, ଶାସ୍ତ୍ରୀ ନିଜେ ଭାଷ୍ୟକାର ତାଲିକାରୁ ଦୂରେଇବା ପାଇଁ ଚାହିଁଥିଲେ ବୋଲି କୁହାଯାଇଛି । କିଛି ସମୟ ପାଇଁ ସେ ବ୍ୟସ୍ତ ରହିବେ ବୋଲି ସେ ସୂଚନା ଦେଇଥିଲେ । ରବି ଶାସ୍ତ୍ରୀ ନିକଟରେ ବିସିସିଆଇ ଓ କିଛି ଖେଳାଳିଙ୍କୁ ନେଇ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । ଏପରିକି ଦଳର ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ବିରାଟ କୋହଲି ଦିନିକିଆ ଅଧିନାୟକ ପଦରୁ ବିଦା ହେଲା ପରେ ରବି ଶାସ୍ତ୍ରୀ ଲଗାତର ଭାବେ ବିବାଦୀୟ ମନ୍ତବ୍ୟ ଦେଇ ଆସୁଛନ୍ତି ।