ଗୁଜରାଟଠାରୁ ମ୍ୟାଚ ଛଡ଼ାଇନେଲା ମୁମ୍ବଇ

ମେଟ୍ରୋଟିଭିଓଡିଶା(୭.୫.୨୦୨୨)

କ୍ରମାଗତ ୮ଟି ମ୍ୟାଚ ପରାଜିତ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି। ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ୫୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୫ରନରେ ଗୁଜୁରାଟ ଟାଇଟାନ୍‌ସକୁ ପରାସ୍ତ କରି ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଗୁଜରାଟ ଟାଇଟାନ୍‌ସ ୩ୟ ପରାଜୟ ସହ ଶୀର୍ଷରେ ରହିଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସ ୧୦ତମ ମ୍ୟାଚରୁ ଦ୍ବିତୀୟ ବିଜୟ ହାସଲ କରିଛି।


ମୁମ୍ବଇ ଇଣ୍ଡିଆନ୍‌ସ ରୋହିତ ଶର୍ମା, ଇଷନ କିଷନ ଓ ଟିମ୍‌ ଡେଭିଡ୍‌ଙ୍କ ଉପଯୋଗୀ ଇନିଂସ ବଳରେ ୧୭୭ରନ କରିଥିଲା। ଜବାବରେ ଗୁଜରାଟ ଟାଇଟାନ୍‌ସ ଦୁଇ ଓପନର ଶୁବମାନ ଗିଲ୍‌ ଓ ରିଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୫ ୱିକେଟ ହରାଇ ୧୭୨ରନ କରିବାକୁ ସକ୍ଷମ ହୋଇଥିଲା।
୧୭୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗୁଜରାଟର ଦୁଇ ଓପନର ଶୁବମାନ ଗିଲ୍‌ ଓ ରିଦ୍ଧିମାନ ସାହା ୬ ଓଭରରୁ ୫୪ରନ କରି ବିଜୟର ମୂଳଦୁଆ ପକାଇଥିଲେ। ଉଭୟେ ପ୍ରଥମ ୱିକେଟରେ ୧୨.୧ ଓଭରରୁ ୧୦୬ରନ ସଂଗ୍ରହ କରିଥିଲେ। ଗିଲ୍‌ ୩୬ଟି ବଲରୁ ୨ଟି ଛକା ଓ ୬ଟି ଚୌକା ସହ ୫୨ରନ କରି ଆଉଟ୍‌ ହୋଇଥିଲେ। ୧୧୧ରନ ସ୍କୋରରେ ଗୁଜରାଟ ଦ୍ବିତୀୟ ୱିକେଟ ହରାଇଥିଲା। ରିଦ୍ଧିମାନ ୪୦ଟି ବଲରୁ ୨ଟି ଛକା ଓ ୬ଟି ଚୌକା ସହ ୫୫ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ୨୭ରନ ସଂଗ୍ରହ କରିଥିଲେ। ସୁଦର୍ଶନ ୧୪ରନ କରି ଆଉଟ୍‌ ହୋଇଥିଲେ। ହାର୍ଦିକ ୧୪ଟି ବଲରୁ ୨୪ରନ କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରେ ଗୁଜରାଟକୁ ବିଜୟ ପାଇଁ ୯ରନ ଆବଶ୍ୟକ ଥିଲା। ଡାନିଏଲ ସାମ୍‌ସ ଚମତ୍କାର ବୋଲିଂ କରି ମାତ୍ର ୩ରନ ବ୍ୟୟ କରିଥିଲେ। ଶେଷ ଦୁଇ ବଲରୁ ବିଜୟ ପାଇଁ ୬ରନ ଆବଶ୍ୟକ ଥିବାବେଳେ ମିଲର କୌଣସି ରନ ସଂଗ୍ରହ କରିପାରିନଥିଲେ। ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ରନ କରିବାକୁ ସକ୍ଷମ ହୋଇଥିଲା। ମିଲର ୧୯ରନ କରି ଅପରାଜିତ ରହିଥିଲେ। ମୁମ୍ବଇ ପକ୍ଷରୁ ମୁରୁଗାନ ଅଶ୍ବିନ ୨ଟି ୱିକେଟ ନେଇଥିଲେ।