ଅଷ୍ଟ୍ରେଲିଆକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ
ଟି୨୦ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍ରେ ପରାସ୍ତ କରିଛି। ନାମ୍ବିୟା ବିପକ୍ଷ ମ୍ୟାଚ ଭଳି ଅଷ୍ଟ୍ରେଲିଆ ୯ଜଣ ଖେଳାଳିଙ୍କୁ ନେଇ ଏହି ମ୍ୟାଚ ଖେଳିଥିଲା।ଫିଲ୍ଡିଂ ବେଳେ ସିଲେକ୍ଟର ଜର୍ଜ ବୋଲି ଓ ମୁଖ୍ୟ କୋଚ୍ ଆଣ୍ଡ୍ର୍ୟୁ ମ୍ୟାକ୍ଡୋନାଲ୍ଡଙ୍କୁ କିନ୍ତୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ପୁରନ (୭୫ରନ, ୨୫ବଲ୍, ୫ ଚୌକା ଓ ୮ ଛକା) ଓ ଅଧିନାୟକ ପାଓ୍ବେଲ (୫୨ରନ, ୨୫ ବଲ୍, ୪ ଚୌକା ଓ ୪ ଛକା)ଙ୍କ ଅର୍ଦ୍ଧ ଶତକ ଏବଂ ଶେରଫେନ୍ ରଥରଫୋର୍ଡଙ୍କ ୧୮ ବଲ୍ରୁ ଅପରାଜିତ ୪୭ (୪ ଚୌକା ଓ ୪ ଛକା) ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ବିନିମୟରେ ୨୫୭ ରନ କରିଥିଲା।ପୁରନ ଓ ଜନସନ ଚାଲର୍ସ (୪୦ରନ)ଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟରେ ୯୦ ରନ ଏବଂ ୫ମ ଉଇକେଟରେ ରଥରଫୋର୍ଡ ଓ ଶିମରନ ହେଟମେୟର (୧୮)ଙ୍କ ମଧ୍ୟରେ ୫ମ ଉଇକେଟରେ ୬୩ ରନର ଅପରାଜିତ ପାର୍ଟନରଶିପ୍ ହୋଇଥିଲା।ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂ କରି ଟିମ୍ ଡେଭିଡ୍, ଜୋଶ ହାଜ୍ଲେଉଡ୍, ଆଡାମ ଜାମ୍ପା, ନାଥାନ ଏଲିସ ଓ ଆଶଟନ ଅଗର ମହାଙ୍ଗା ସାବ୍ୟସ୍ତ ହୋଇଥିଲେ।