ମହିଳା ପ୍ରିମିୟର ଲିଗ୍ – ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟର ହବ ଫାଇନାଲ ମ୍ୟାଚ,ଟାଇଟେଲ ଲକ୍ଷ୍ୟରେ ଦିଲ୍ଲୀ
ମହିଳା ପ୍ରିମିୟର ଲିଗ୍ (ଡବ୍ଳ୍ୟୁପିଏଲ) ଚତୁର୍ଥ ସଂସ୍କରଣ-୨୦୨୬ର ଫାଇନାଲ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଭଦୋଦରାର କୋଟାମ୍ବି ଷ୍ଟାଡ଼ିୟମରେ ଖେଳାଯିବ। ଦିଲ୍ଲୀ କ୍ରମାଗତ ଚତୁର୍ଥ ଓ ବେଙ୍ଗାଲୁରୁ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛନ୍ତି। ଦିଲ୍ଲୀ ପ୍ରଥମ ଓ ବେଙ୍ଗାଲୁରୁ ଦ୍ବିତୀୟ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ଜେମିମା ରଡ୍ରିଗ୍ବେଜଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଲିିଗ୍ ମ୍ୟାଚରେ ପ୍ରଥମ ରାଉଣ୍ଡରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୫୦ରନରେ , ଗୁଜରାଟ ଜାଏଣ୍ଟ୍ସ ନିକଟରୁ ୪ରନରେ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବାବେଳେ ୟୁପି ୱାରିୟର୍ସକୁ ୭ ୱିକେଟରେ ବିଜୟୀ ହୋଇଥିଲା। ଦ୍ବିତୀୟ ରାଉଣ୍ଡ ଲିଗ୍ରେ ଦିଲ୍ଲୀ ୭ ୱିକଟରେ ମୁମ୍ବଇ ଇଣ୍ଡିଆନ୍ସକୁ, ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ୟୁପି ୱାରିୟର୍ସକୁ ୫ ୱିକେଟରେ ପରାସ୍ତ କରିଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ନିକଟରୁ ୩ରନରେ ପରାଜିତ ହୋଇଥିଲା। ଏଲିମିନେଟରେ ଦଳ ଗୁଜରାଟ ଜାଏଣ୍ଟ୍ସକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
ଦଳରେ ଜେମିମାଙ୍କ ସମେତ ଲିଜେଲ ଲି, ଶେଫାଳି ବର୍ମା, ଲୌରା ୱାଲଭାର୍ଟଙ୍କ ଭଳି ବ୍ୟାଟର ରହିଛନ୍ତି। ବୋଲିଂ ବିଭାଗରେ ଚିନିଲ ହେନ୍ରି ,ନନ୍ଦିନୀ ଶର୍ମା ଓ ମିନୁ ମାନି ପ୍ରମୁଖ ୱିକେଟ ନେଉଛନ୍ତି। ଦିଲ୍ଲୀ ଡବ୍ଳ୍ୟୁପିଏଲର ଶେଷ ୩ଟି ଯାକ ସଂସ୍କରଣ ଫାଇନାଲରେ ପହଞ୍ଚି ପରାଜିତ ହୋଇଛି। ଦଳ କ୍ରମଗତ ଭାବେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ବେଙ୍ଗାଲୁରୁକୁ ପରାସ୍ତ କରି ପ୍ରଥମ ଡବ୍ଳ୍ୟୁପିଏଲ ଟାଇଟଲ ହାସଲ ନେଇ ଆଶାବାଦୀ ରହିଛି। ସହିପରି ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ଟେବୁଲର ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପହଞ୍ଚିଛି। ଦଳ ପ୍ରଥମ ରାଉଣ୍ଡ ଲିଗ୍ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ୩ ୱିକେଟରେ, ୟୁପି ୱାରିୟର୍ସକୁ ୯ ୱିକେଟରେ, ଗୁଜରାଟ ଜାଏଣ୍ଟ୍ସକୁ ୩୨ରନରେ ଓ ଦିଲ୍ଲୀ କ୍ୟାପିଟାଲ୍ସୁ ୮ ୱିକେଟରେ ପରାସ୍ତ କରିଥିଲା।
ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଗୁଜରାଟ ଜାଏଣ୍ଟସ୍କୁ ୬୧ରନରେ ଓ ୟୁପି ୱରିୟର୍ସକୁ ୬୧ରନରେ ପରାସ୍ତ କରିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୭ ୱିକେଟରେ ଓ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୧୫ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ମାନ୍ଧାନାଙ୍କ ସହ ନାଡିନ ଡି କ୍ଲାର୍କ,ଜର୍ଜିଆ ଭୋଲ ଓ ଦୟାଲିନ ହେମଲତା ରହିଛନ୍ତି। ବୋଲିଂରେ ଲିନ୍ସେ ସ୍ମିଥ୍, ପୂଜା ବତ୍ସାକାର, ରାଧା ଯାଦବ ପ୍ରମୁଖ ରହିଛନ୍ତି। ଦୁଇ ଦଳ ଚଳିତ ଡବ୍ଳ୍ୟୁପିଏଲରେ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ବେଙ୍ଗାଲୁରୁ ଓ ଦିଲ୍ଲୀ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।