ଆଜି ମହିଳା କ୍ରିକେଟ୍ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ , ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା – ଭାରତ
ମହିଳା କ୍ରିକେଟ୍ ବିଶ୍ବକପ୍ର ବହୁ ପ୍ରତୀକ୍ଷିତ ଫାଇନାଲ୍ରେ ରବିବାର ସହଆୟୋଜକ ଭାରତ ଏବଂ ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ସେଥିପାଇଁ ଭାରତୀୟ ମହିଳା କ୍ରିକେଟ୍ ଏବେ ମହତ୍ତ୍ବପୂର୍ଣ୍ଣ ତଥା ଗୌରବମୟ ମୋଡ଼ରେ ରହିଛି। ରବିବାର ଏଥିରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହେବାର ସମ୍ଭାବନା ରହିଛି। ୧୪୫ କୋଟି ଭାରତୀୟଙ୍କ ଶୁଭେଚ୍ଛା ଓ ଶୁଭ ଆଶୀର୍ବାଦକୁ ନେଇ ହରମନପ୍ରୀତ୍ କୌରଙ୍କ ଦଳ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ନୂଆ ଇତିହାସ ରଚିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କପିଳ ଦେବଙ୍କ ଅପରିଚିତ ବାହିନୀର ୧୯୮୩ ମସିହା ଐତିହାସିକ ପୁରୁଷ ବିଶ୍ବକପ୍ ବିଜୟ ମୁହୂର୍ତ୍ତକୁ ପାଥେୟ କରି ପ୍ରଥମ ଥର ବିଶ୍ବକପ୍ ଜିତି ଭାରତୀୟ ମହିଳା କ୍ରିକେଟ୍ରେ ନୂଆ ଗୌରବଗାଥା ଯୋଡ଼ିବାକୁ ଚେଷ୍ଟା କରିବ। ତୃତୀୟ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଟିମ୍ ଇଣ୍ଡିଆ ବିଜୟୀ ହେଲେ କାହିଁ କେତେ କାଳର ବିଶ୍ବକପ୍ ଟ୍ରଫି ମରୁଡ଼ି ଦୂର କରିବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ପ୍ରଥମ ଥର କୌଣସି ବର୍ଗର ବିଶ୍ବକପ୍ ହାସଲ କରିବ। କିନ୍ତୁ ଗୋଟିଏ କଥା ନିଶ୍ଚିତ, ଯିଏ ଜିତିଲେ ବି ମହିଳା କ୍ରିକେଟ୍କୁ ନୂଆ ବିଜେତା ମିଳିବ। ଏହି ଫାଇନାଲ୍ ଟକ୍କରକୁ ନେଇ ପ୍ରଶଂସକମାନେ ଢେର୍ ଉତ୍ସୁକ ଅଛନ୍ତି।
ଭାରତ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଏହି କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାଠାରୁ ଆଗରେ ରହିଛି। କାରଣ ଦକ୍ଷିଣ ଆଫ୍ରିକା ପୂର୍ବରୁ କେବେବି ଫାଇନାଲ୍କୁ ଆସିନଥିଲା। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲ୍ ଖେଳିଥିଲେ ମଧ୍ୟ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ହାରି ଉପବିଜେତା ହୋଇଥିଲା। ଏଥର କିନ୍ତୁ ହର୍ମନପ୍ରୀତ୍ କୌରଙ୍କ ଦଳ ଘରୋଇ ମାଟିରେ ଦଶନ୍ଧି ଦଶନ୍ଧି ତଳର ପ୍ରତୀକ୍ଷାରେ ଅନ୍ତ ଘଟାଇବ ବୋଲି ବିଶ୍ବାସ ବଢ଼ିଛି। ୭ ଥର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ୩୩୮ ରନ୍କୁ ପିଛା କରି ଭାରତ ସେମିଫାଇନାଲ୍ ଜିତିଥିବାରୁ ଏବେ ଭାରତୀୟ ଖେଳାଳିଙ୍କ ମନୋବଳ ବି ଆକାଶଛୁଆଁ ରହିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଭଲ ସମୟ ଦେଇ ଗତି କରିଛି। ନିଜ ପ୍ରଥମ ଓ ଶେଷ ଲିଗ୍ ମ୍ୟାଚ୍ ହାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ଅନ୍ୟତମ ଦାବିଦାର ଇଂଲଣ୍ଡକୁ ମାତ୍ ଦେଇ ଫାଇନାଲ୍କୁ ଆସିଛି। ରାଉଣ୍ଡ୍ ରବିନ୍ ଫର୍ମାଟରେ ଖେଳାଯାଇଥିବା ଲିଗ୍ ମୁକାବିଲା ବେଳେ ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଥିଲା। ଏହାର ମଧୁର ପ୍ରତିଶୋଧ ନେଇ ଭାରତ ଟ୍ରଫି ସ୍ବପ୍ନ ସାକାର କରିବ ବୋଲି କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି। ଭାରତ ସପକ୍ଷରେ ବି ଘରୋଇ ପରିବେଶ, ପଡ଼ିଆ, ପ୍ରଶଂସକ ଆଦିର ଫାଇଦା ରହିବ।