ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ

ଭାରତୀୟ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍‌ରେ ଏକ ବଡ଼ ଲମ୍ଫ ମାରି ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି। ଚଳିତ ଏସିଆ କପ୍‌ରେ ୟୁଏଇ ବିପକ୍ଷରେ ୪ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୨୪ ରନ୍ ଖର୍ଚ୍ଚ କରି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିବା ପରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଏବଂ ଲେଗ୍‌ସ୍ପିନର ରବି ବିଷ୍ଣୋଇଙ୍କ ପରେ ତୃତୀୟ ଭାରତୀୟ ଭାବେ ଏଭଳି ସଫଳତା ପାଇଛନ୍ତି ସେ। ୩୪ବର୍ଷୀୟ ଚକ୍ରବର୍ତ୍ତୀ ଏହିକ୍ରମରେ ନ୍ୟୁଜିଲାଣ୍ଡର ଜ୍ୟାକବ୍ ଡଫିଙ୍କୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛନ୍ତି।

ଡଫି ଏହି ସ୍ଥାନରେ ଗତ ମାର୍ଚ୍ଚ ମାସଠାରୁ ଜମି ରହିଥିଲେ। ସେହିଭଳି ଶ୍ରୀଲଙ୍କାର ନୁୱାନ ତୁଷାରା ମଧ୍ୟ ୬ଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚି ଯାଇଛନ୍ତି। ପାକିସ୍ତାନର ବାମହାତୀ ଦ୍ରୁତ ‌ବୋଲର ସୁଫିଆନ ମକିମ ଚାରିଟି ସ୍ଥାନ ଆଗକୁ ବଢ଼ି ଏକାଦଶ ସ୍ଥାନରେ ରହିଛନ୍ତି। ଭାରତୀୟ ରାଉଣ୍ଡର୍ ତଥା ବାମହାତୀ ସ୍ପିନର ଅକ୍ଷର ପଟେଲ ଗୋଟିଏ ସ୍ଥାନ ଫାଇଦାରେ ରହି ଦ୍ବାଦଶ, କଚଟି ସ୍ପିନର କୁଲଦୀପ ଯାଦବ ୧୬ଟିସ୍ଥାନ ଉପରକୁ ଉଠି ୨୩ତମରେ ଦୃଢ଼ ରହିଛନ୍ତି। ଟ୍ବେଣ୍ଟି-୨୦ ବ୍ୟାଟର୍‌ ମାନ୍ୟତାରେ ଭାରତୀୟ ଯୁବ ଓପନର୍‌ ଅଭିଷେକ ଶର୍ମା ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛନ୍ତି। ଇଂଲଣ୍ଡର ଫିଲ୍ ସଲ୍‌ଟ ଓ ଜୋସ୍ ବଟଲର୍‌ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବଟଲର ନିଜ କ୍ୟାରିୟର୍‌ରେ ପ୍ରଥମ ଥର ଲାଗି ଶ୍ରେଷ୍ଠ ୩ରେ ପ୍ରବେଶ କରି ନିଜ ପ୍ରତିଭାର ବଳିଷ୍ଠ ପ୍ରମାଣ ଦେଇଛନ୍ତି।

Leave a comment