ହକି ବିଶ୍ୱ କପ୍ ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ନୂଆଦିଲ୍ଲୀରେ ପହଞ୍ଚିଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ।ଜାନୁଆରୀ ୧୩, ୨୦୨୩ ଠାରୁ ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ ଆରମ୍ଭ ହେଉଛି । ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ବିଶ୍ୱକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଗତ ଡିସେମ୍ବର ୫ ତାରିଖ ଠାରୁ ଦେଶବ୍ୟାପୀ ହକି ବିଶ୍ୱକପ ଟ୍ରଫି ଟୁର ଆରମ୍ଭ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ପରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲୁଛି । ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚଜେଏସ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି । କିମ୍ବଦନ୍ତୀ ହକି ଖେଳାଳୀ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫି ଅନାବରଣ କରାଯିବା ଫଳରେ ଏହି କ୍ରୀଡ଼ାର ପ୍ରଚାରପ୍ରସାରରେ ସହାୟକ ହୋଇପାରିବ । ଶ୍ରୀ ଠାକୁର କହିଥିଲେ, ଅଲିମ୍ପିକ୍ସ ପରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱକପକୁ ପ୍ରୋତ୍ସାହନ ଦେବା ଦିଗରେ ଆମେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।

ପୂର୍ବତନ ହକି ଖେଳାଳୀ ଅଶୋକ ଧ୍ୟାନ ଚାନ୍ଦ ବିଶ୍ୱକପ ଟ୍ରଫି ଟୁର୍ ପାଇଁ ହକି ଇଣ୍ଡିଆକୁ ପ୍ରଶଂସା କରିଥିଲେ। ଏହା ଆଗାମୀ ବିଶ୍ୱକପର ପ୍ରଚାରପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।


ଅଧିକ ଫଟୋ ପାଇଁ, ହକି ଇଣ୍ଡିଆ ଫଟୋ ଲାଇବ୍ରେରୀରେ ଲଗ୍ଇନ୍ କରନ୍ତୁ :
କ୍ଲିକ୍: https://photolibrary.hockeyindia.org/
ଏଫଆଇଏଚ ପୁରୁଷ ହକି ବିଶ୍ୱକପ ୨୦୨୩:
ଏଫଆଇଏଚ ପୁରୁଷ ହକି ବିଶ୍ୱକପ ସମ୍ପର୍କରେ ଅଧିକ ସୂଚନା ଓ ଐତିହାସିକ ତଥ୍ୟ ନିମନ୍ତେ ଦୟାକରି
ପରିଦର୍ଶନ କରିପାରିବେ।
ବିଶ୍ୱକପର ଟିକେଟ୍ ବୁକିଂ କରିବା ଲାଗି : https://insider.in/online, ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ : [email protected]