ଟ୍ବେଣ୍ଟି୨୦ ବିଶ୍ବକପ୍‌: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଲଢେଇ

ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଗତଥରର ଚମ୍ପିଆନ୍‌ ଭାରତ ଗ୍ରୁପ୍‌ ପର୍ଯ୍ୟାୟ​‌େ​‌ର ସମସ୍ତ ମ୍ୟାଚ୍‌ ଜିତିବା ପରେ ସୁପର ୮ରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍‌ରେ ହାରିଥିଲା। ହେଲେ ୱେ‌ଷ୍ଟଇଣ୍ଡିଜ୍‌କୁ ଦକ୍ଷିଣ ଆଫ୍ରିକା ହରାଇବା ପରେ ନେଟ୍‌ ରନ୍‌ରେଟ୍‌ର ସମୀକରଣ ଆଉ ନାହିଁ। ଆଜି ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ସୁପର ୮ ମ୍ୟାଚ୍‌ କ୍ବାର୍ଟରଫାଇନାଲ ପାଲଟି ଯାଇଛି। ଏହି ମ୍ୟାଚ୍‌ର ବିଜେତା ସେମିଫାଇନାଲରେ ପହଞ୍ଚିବ ଏବଂ ପରାଜିତ ଦଳ ବିଦାୟ ନେବ। ତିନିଟି ସେମିଫାଇନାଲିଷ୍ଟ ସ୍ଥାନ ନିଶ୍ଚିତ ହୋଇ ସାରିଥିବା ବେଲେ ରବିବାର ୪ର୍ଥ ସେମିଫାଇନାଲିଷ୍ଟ ଦଳ କିଏ; ତାହା ଜଣାପଡ଼ିବ।

ଭାରତ ପରି ଶକ୍ତିଶାଳୀ ଦଳକୁ ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବା ଲାଗି ସୁପର ୮ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଭାରତ ଜିତିଥିଲେ ହେଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିନଥିଲା। ୨୦୨୩ରେ ଅନ୍ତିମ ଦଳ ଭାବେ ଭାରତ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଥିଲା ୱେଷ୍ଟଇଣ୍ଡିଜ୍‌। ଏହାପରେ କ୍ରମାଗତ ୧୨ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଛି ଭାରତ। ଏହା ପରଠାରୁ ଉଭୟ ଦଳଙ୍କ ଟ୍ବେଣ୍ଟି୨୦ ପ୍ରଦର୍ଶନରେ ଉନ୍ନତି ଘଟିଛି। ଭାରତ ସମସ୍ତ ବିଭାଗରେ ଦୃଢ଼ ରହିଥିବା ବେଳେ ବିସ୍ଫୋରକ ବ୍ୟାଟିଂ ଜରିଆରେ ବିଶ୍ବର ଏକାଧିକ ଦଳଙ୍କୁ ହରାଇଛି ୱେଷ୍ଟଇଣ୍ଡିଜ୍‌। ଅଦ୍ୟାବଧି ଚଳିତ ବିଶ୍ବକପ୍‌ରେ ଭାରତ ୬୩ଟି ଛକା ମାରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୬୬ଟି ଛକା ମାରିଛି। ତେବେ ବୋଲିଂ ବିଭାଗରେ ୱେଷ୍ଟଇଣ୍ଡିଜ୍‌ଠାରୁ ଭାରତ ବହୁତ ଆଗରେ ରହିଛି।

ଯଶପ୍ରୀତ ବୁମ୍‌ରା ସମସ୍ତ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଦୁଃସ୍ବପ୍ନ ହୋଇଥିବା ବେଳେ ବିଶ୍ବର ୧ନଂ ଟି୨୦ ବୋଲର ବରୁଣ ଚକ୍ରବର୍ତ୍ତୀ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରି ଅଭିଷେକ ଶର୍ମା ଫର୍ମକୁ ଫେରିବା ଦଳକୁ ଉତ୍ସାହିତ କରିଛି। ଭାରତୀୟ ବ୍ୟାଟିଂ ଲାଇନ୍‌ରେ ଅଧିକ ବାମହାତି ଥିବାରୁ ୱେଷ୍ଟଇଣ୍ଡିଜ୍‌ର ଅଫ୍‌ସ୍ପିନର ରୋଷ୍ଟନ ଚେଜ୍‌ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ରିଙ୍କୁ ସିଂହ ତାଙ୍କ ପିତାଙ୍କ ଅନ୍ତ୍ୟେଷ୍ଟି ସାରି ଶନିବାର ରାତିରେ କଲକାତାରେ ଭାରତୀୟ ଦଳରେ ଯୋଗ ଦେଇଥିଲେ ହେଁ ତାଙ୍କ ଖେଳିବା ସମ୍ଭାବନା କମ୍‌। ଜିମ୍ବାୱେ ବିପକ୍ଷରେ ଜିତିଥିବା ସମାନ ଭାରତୀୟ ଏକାଦଶ ଖେଳିବ। ୱେଷ୍ଟଇଣ୍ଡିଜ୍‌ ମଧ୍ୟ ତା’ର ଏକାଦଶରେ ପରିବର୍ତ୍ତନ କରିବ ନାହିଁ। ଇଡେନ୍‌ ଗାର୍ଡେନ୍‌ସର ପିଚ୍‌ ଶୁଖିଲା ଥିବାରୁ ଏଥିରୁ ସ୍ପିନରଙ୍କୁ ଫାଇଦା ମିଳିବ।

ୱେଷ୍ଟଇଣ୍ଡିଜ୍‌ର ୨ ଜଣ ସ୍ପିନର ଥିବା ବେଳେ ଭାରତୀୟ ଦଳରେ ୩ ଜଣ ସ୍ପିନର ଅଛନ୍ତି। ୧୯୮୩ ପରେ କୌଣସି ଫର୍ମାଟରେ ଇଡେନ ଗାର୍ଡେନ୍‌ସରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିନାହିଁ। ପୁଣି ୨୦୧୬ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରଠାରୁ ୱେଷ୍ଟଇଣ୍ଡିଜ୍‌ ଥରେ ମଧ୍ୟ ସେମିଫାଇନାଲ ଖେଳିନାହିଁ। ଏହି ଧାରା ଭାଙ୍ଗିବାକୁ ୱେଷ୍ଟଇଣ୍ଡିଜ୍‌ ଚାହିଁବ।

Leave a comment