ଆଜି ଭାରତ – ଦକ୍ଷିଣ କାେରିଆ ଫାଇନାଲ

ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଶେଷ ସୁପର-୪ ମ୍ୟାଚରେ ଭାରତ ୭-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତକରି ଅପରାଜିତ ରହି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ଖେଳାଯିବ। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଚୀନ ପରାଜିତ ହେବା ପରେ ଦକ୍ଷିଣ କୋରିଆ ୪ ପଏଣ୍ଟ ସହ ଗ୍ରୁପର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଶନିବାର ଦକ୍ଷିଣ କୋରିଆ ଶେଷ ସୁପର-୪ ମ୍ୟାଚରେ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା।
ଘରୋଇ ଭାରତ ପ୍ରତିପକ୍ଷ ଚୀନ ଉପରେ ପ୍ରାରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା। ଭାରତ ୪ ମିନିଟ୍‌ରେ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ଓଡ଼ିଆ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୭ ମିିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଦିଲପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରାଧାନ୍ୟ ରହିଥିଲା। ୧୮ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ମନଦୀପ ସିଂହ ଗୋଲ୍‌ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲ​‌େ​‌ର ଆଗୁଆ ରହିଥିଲା। ୩୭ ମିନିଟ୍‌ରେ ଭାରତ ଚତୁର୍ଥ ଗୋଲ ଦେଇଥିଲା। ରାଜକୁମାର ପାଲ ଗୋଲ ଦେଇ ଭାରତକୁ ୪-୦ରେ ଆଗୁଆ କରିଥିଲେ। ୩୯ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ ସିଂହ ପଞ୍ଚମ ଗୋଲ ଦେଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଗୋଲ ଦେବା ଧାରା ଜାରି ରହିଥିଲା। ଅଭିଷେକ ୪୬ ମିନିଟ୍‌ରେ ଷଷ୍ଠ ଓ ୫୦ ମିନିଟ୍‌ରେ ସପ୍ତମ ଗୋଲ ସ୍କୋର କରି ଦଳକୁ ୭-୦ରେ ଆଗୁଆ କରିଥିଲେ। ଚୀନ୍‌ ଦଳ ଗୋଲ ଦେବା ନେଇ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ଦକ୍ଷିଣ କୋରିଆ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ସୁପର-୪ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନରେ ରହିଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଚୀନ ଓ ମାଲେସିଆ ମଧ୍ୟରେ ୪ୟ ସ୍ଥାନ ମ୍ୟାଚ ଖେଳାଯିବ।

Leave a comment