ଆଜି ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ : କେକେଆର୍‌ ବିପକ୍ଷରେ ଘରୋଇ ମୁମ୍ବଇ ମ୍ୟାଚ୍‌ ଖେଳିବ

ଆଇପିଏଲ୍‌ ଇତିହାସରେ ଯୁଗ୍ମ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ୨୦୧୩ରୁ ୨୦୨୨ ମଧ୍ୟରେ ପାଞ୍ଚ ଥର ଟ୍ରଫି ଜିତିଥିଲା। ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍‌ସ ଗତବର୍ଷ ପ୍ଲେଅଫ୍‌​‌େ​‌ର ପହଞ୍ଚି ପଞ୍ଜାବ କିଙ୍ଗ୍‌ସଠାରୁ ପରାସ୍ତ ହୋଇଥିଲା। ତେଣୁ ପାଞ୍ଚ ବର୍ଷର ଟ୍ରଫି ମରୁଡ଼ି ଅନ୍ତଃ ଘଟାଇବା ଲକ୍ଷ୍ୟରେ ମୁମ୍ବଇ ପଡ଼ିଆକୁ ଓହ୍ଲାଇବ।

ଆଜି ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ ତିନି ଥର ଚମ୍ପିଆନ୍‌ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଘରୋଇ ମୁମ୍ବଇ ମ୍ୟାଚ୍‌ ଖେଳିବ। ଉଭୟ ଦଳକୁ ଦେଖିଲେ ତାରକା ଖଚିତ ମୁମ୍ବଇ ମ୍ୟାଚ୍‌ ଜିତିବା ପାଇଁ ଫେଭରିଟ୍‌। ଅନ୍ୟପକ୍ଷ​‌ରେ ପ୍ରମୁଖ ବୋଲରଙ୍କୁ ହରାଇ କେକେଆର୍‌ ସାମାନ୍ୟ ଦୁର୍ବଳ ହୋଇଯାଇଛି। କେକେଆର୍‌ର ବ୍ୟାଟିଂ ମଧ୍ୟ ବେଶ୍‌ ମଜ୍‌ଭୁତ ରହିଛି। ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ଗତବର୍ଷ କେକେଆର୍‌ ମାତ୍ର ୧୨ ପଏଣ୍ଟ ସହ ୮ମ ସ୍ଥାନରେ ଥିଲା। ଏଥିରେ ଉନ୍ନତି କରିବାକୁ ଦଳ ଚାହିଁବ।

ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଯାଇଥିବା ରୋହିତ ଶର୍ମାଙ୍କୁ ଦେଖି ମୁମ୍ବଇ ଇଣ୍ଡିଆନ୍‌ସ ବେଶ୍‌ ଉତ୍ସାହିତ ରହିଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଚାରି ଜଣ ସଦସ୍ୟ- ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରା ମୁମ୍ବଇ ଇଣ୍ଡିଆନ୍‌ସରେ ଅଛନ୍ତି। ଏହି ଚାରି ଜଣ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁଣି ମୁମ୍ବଇରେ ନାମୀ ବିଦେଶୀ ଖେଳାଳି ଭାବେ ରିୟାନ୍ ରିକେଲ୍‌ଟନ, ସେର୍ଫାନେ ରଦରଫୋର୍ଡ, କର୍ବିନ୍‌ ବସ୍‌, ମିଚେଲ ସାଣ୍ଟନର, ୱିଲ୍‌ ଜ୍ୟାକ୍‌ସ ଓ ଟ୍ରେଣ୍ଟ ବୋଲ୍‌ଟ ପ୍ରମୁଖ ରହିଛନ୍ତି। ପେସ୍‌ ବୋଲିଂ ବିଭାଗରେ ଭାରତ ପାଇଁ ଖେଳିଥିବା ଦୀପକ ଚହର ଓ ସାର୍ଦୁଳ ଠାକୁର ରହିଛନ୍ତି। ଭାରତରେ ପହଞ୍ଚି ନ ଥିବାରୁ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନ୍‌ର ଓ ଇଂଲଣ୍ଡର ୱିଲ୍‌ ଜ୍ୟାକ୍‌ସ ଏହି ମ୍ୟାଚ୍‌ ଖେଳିବେ ନାହିଁ। କଲକାତାର ବ୍ୟାଟିଂ ମଜ୍‌ଭୁତ ରହିଛି। ସୁନୀଲ ନାରାୟଣଙ୍କ ସହ ନ୍ୟୁଜିଲାଣ୍ଡର ଦୁଇ ଖେଳାଳି ଟିମ୍ ସାଇଫର୍ଟ ଓ ଫିନ୍‌ ଆଲେନ୍‌ଙ୍କ ମଧ୍ୟରୁ ଜଣେ ଓପନ୍‌ କରିବେ।

ମଧ୍ୟକ୍ରମରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ଗତ ନିଲାମରେ ସବୁଠାରୁ ଦାମୀ ଖେଳାଳି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ୍‌ ଗ୍ରୀନ୍‌ ଅଛନ୍ତି। ରିଙ୍କୁ ସିଂହ ଓ ରମଣଦୀପ ଫିନିସର ଭୂମିକା ନିର୍ବାହ କରିବେ। ଦଳର ବୋଲିଂ ମୁଖ୍ୟତଃ ଦୁଇ ସ୍ପିନର ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ନିର୍ଭର କରେ। ମୁସ୍ତାଫିଜୁର ରେହ୍‌ମାନଙ୍କୁ କେକେଆର୍‌ ଦଳରୁ ବାଦ୍‌ ଦେଇଥିବା ବେଳେ ହର୍ଷିତ ରାଣା ଓ ଆକାଶ ଦୀପ ଆହତ ହୋଇ ପୂରା ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ବଦଳ ଖେଳାଳି ଜିମ୍ବାୱେର ବ୍ଲେସିଂ ମୁଜାରବାନିଙ୍କ ସହ କାର୍ତ୍ତିକ ତ୍ୟାଗୀ ଓ ବୈଭବ ଅରୋରା ପେସ୍‌ ବୋଲିଂ ଦାୟିତ୍ବ ସମ୍ଭାଳିବେ। କଲକାତାର ଦୁର୍ବଳ ​ବୋଲିଂର ଫାଇଦା ଉଠାଇବାକୁ ମୁମ୍ବଇ ଚାହିଁବ। ଆଇପିଏଲ୍‌ ଇତିହାସରେ ମୁମ୍ବଇ ଓ କଲକାତା ମଧ୍ୟରେ ୩୫ ଥର ମୁକାବିଲା ହୋଇଛି। ଏଥିରୁ ମୁମ୍ବଇ ୨୪ ଓ କଲକାତା ୧୧ଟି ଜିତିଛନ୍ତି। ରୋହିତ ଶର୍ମାଙ୍କ ସହ କ୍ବିଣ୍ଟନ ଡି କକ୍‌ ମୁମ୍ବଇ ପାଇଁ ଓପନ୍‌ କରିବେ। ଟି୨୦ ବିଶ୍ବକପ୍‌ରେ ଡି କକ୍‌ ଭଲ ପ୍ରଦର୍ଶନ କରିଥିଲେ।

Leave a comment