ଆଜିଠୁ ଆରମ୍ଭ ହେବ ଆଇପିଏଲ୍ର ୧୯ତମ ସଂସ୍କରଣ: ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ମହାସମର । ଆଇପିଏଲ୍ର ୧୯ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଶନିବାର ଡିଫେଣ୍ଡିଂ ଚାମ୍ପିଅନରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଆରମ୍ଭ ହେବ । ଷ୍ଟାରସ୍ପୋର୍ଟ୍ସ ଓ ଜିଓ ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ କରାଯିବ ।

ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌କୁ ନେଇ କ୍ରିକେଟ ମଇଦାନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । କିନ୍ତୁ ଚଳିତ ବର୍ଷ  ଆଇପିଏଲ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଜି କାହାର ପଲା ଭାରି ରହିବ?

ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।

ସେପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ଜଣାଶୁଣା । ଗତ ସିଜନ ଭଳି ଏଥର ମଧ୍ୟ ଦଳ ପାଖରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପାୱାରପ୍ଲେ’ରେ ମ୍ୟାଚ୍ର ଗତିପଥ ବଦଳାଇ ଦେଇପାରନ୍ତି। ହାଇଦ୍ରାବାଦର ମଧ୍ୟକ୍ରମ ବ୍ୟାଟିଂ ଏବଂ ଅଲରାଉଣ୍ଡରଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଛି । ସେମାନଙ୍କ ପାଖରେ ଥିବା ବିଶ୍ୱସ୍ତରୀୟ ପେସ୍ ବୋଲରମାନେ ଆରସିବିର ବ୍ୟାଟରଙ୍କ ପାଇଁ କାଳ ସାଜିପାରନ୍ତି।

Leave a comment