ଟି-୨୦ ବିଶ୍ଵକପ୍: ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ

ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ। ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ଵ ଚାମ୍ପିଅନ ହୋଇଛି। ଭାରତ ପ୍ରଥମ ଦଳ ଭାବେ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଜିତିଛି। ୨୦୨୪ ଟି-୨୦ ବିଶ୍ଵକପ ଜିତିବା ପରେ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତି ମହାରେକର୍ଡର ଅଧିକାରୀ ହୋଇଛି। ଏହା ସହିତ ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ରେକର୍ଡ କରିଛି ସୂର୍ଯ୍ୟ ବାହିନୀ। ଅନ୍ୟପଟେ ପ୍ରଥମ ଥର ବିଶ୍ଵ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ କୌଣସି ଦଳ ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ବଜାୟ ରଖିବାର ରେକର୍ଡ କରି ନାହାନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି। ଯଶପ୍ରୀତ ବୁମରା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

୨୫୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ସେହି ହିସାବରେ ଭଲ ନ ଥୀଲା। ଦଳ ୩୨ ରନ ଭିତରେ ୨ଟି ଓ୍ଵିକେଟ୍ ହରାଇଥିଲା। ଫିନ ଆଲେନ ୯ ରନ ଏବଂ ରଚିନ ରବୀନ୍ଦ୍ରନ ମାତ୍ର ୧  ରନ କରି ନିରାଶ କରିଥିଲେ। ଭାରତୀୟ ବୋଲର ଶାଣିତ ବୋଲିଂ କରି କିଓ୍ଵିର କୌଣସି ବ୍ୟାଟରଙ୍କୁ କ୍ରିଜରେ ସେଟ୍ ହେବାକୁ ଦେଇ ନ ଥିଲେ।  ଗ୍ଲେନ ଫିଲିପ୍ସ ୫ ରନ ଓ ମାର୍କ ଚାମପ୍ୟାନ ୩ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ଏକ ମାତ୍ର ବ୍ୟାଟର ଭାବେ ଅଧିନାୟକ ମିଚେଲ ସାଣ୍ଟନର ୪୩ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ।

ତେବେ ବୁମରା ଘାତକ ବୋଲିଂ କରି କିଓ୍ଵି ବ୍ୟାଟରଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇ ନ ଥିଲେ। ସାଣ୍ଟରନ ୪୩  ରନ କରିବା ସହ ନ୍ୟୁଜିଲାଣ୍ଡ ଇନିଂସ ୧୫୯ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ମ୍ୟାଚକୁ ୯୬ ରନରେ ଜିତି ଚାମ୍ପିଅନ ହେବା ସହ ଇତିହାସ ରଚିଛି।  ବୋଲିଂରେ ଭାରତ ପକ୍ଷରୁ ତାରକା ବୋଲର ଯଶପ୍ରୀତ ବୁମରା ମାତ୍ର ୧୫ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଉପଅଧିନାୟକ ଅକ୍ଷର ପଟେଲ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ବି ଯୋଗଦାନ ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଓ ଅଭିଷେକ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Leave a comment