ଟି୨୦ ବିଶ୍ବକପ ବିଜେତା ଟିମକୁ ମିଳିବ ଏତିକି ଟଙ୍କା , ଜାଣିଲେ ଉଡ଼ିବ ହୋସ
ଆଇସିସି ଟି୨୦ ବିଶ୍ବକପ ୨୦୨୬ ଫାଇନାଲକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୮ରେ ଫାଇାନଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ । ଏହି ମ୍ୟାଚରେ କେବଳ ଟ୍ରଫି ନୁହେଁ ବରଂ କୋଟି କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ସମସ୍ତ ଟିମକୁ ପୁରସ୍କାର ରାଶି ମିଳିବ ।
ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁପର ଫାଇଟ୍ । ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟଲ୍ ମ୍ୟାଚରେ ପରସ୍ପରକୁ ଭେଟିବେ । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଥିଲା । ଭାରତ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା।
ଆଇସିସି ଟି୨୦ ବିଶ୍ବକପ ପାଇଁ ମୋଟ ୧୩.୫ ମିଲିଅନ ଡଲାର ଅର୍ଥାତ୍ ୧୨୦ କୋଟି ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଛି । ୨୦୨୪ ପୁରସ୍କାର ରାଶି ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ । ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରସାରଣ ଏବଂ ସ୍ପନସରସିପ ଅଧିକ ଆୟ କରିଛି । ଯେଉଁଥି ପାଇଁ ପୁରସ୍କାର ରାଶି ବୃଦ୍ଧି ହୋଇଛି ।
ଟି୨୦ ବିଶ୍ବକପ ବିଜେତା ଟିମକୁ ୩ ମିଲିଅନ ଡଲାଣ ଅର୍ଥାତ୍ ୨୭.୪୮ କୋଟି ଟଙ୍କା ମିଳିବ । ସେହିପରି ଉପବିଜେତାକୁ ୧.୬ ମିଲିଅନ ଡଲାର ଅର୍ଥାତ୍ ୧୪.୬୫ କୋଟି ଟଙ୍କା ମିଳିବ । ସେମିଫାଇନାଲିଷ୍ଟ ପରାଜିତ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସମାନ ପରିମାଣର ୦.୭୯ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୭.୨୪ କୋଟି ଟଙ୍କା ମିଳିବ । ପଞ୍ଚମ ରୁ ଦ୍ୱାଦଶ ସ୍ଥାନରେ ଥିବା ଦଳଗୁଡ଼ିକୁ ସମାନ ପରିମାଣର ୦.୩୮ ମିଲିୟନ ଡଲାର ପ୍ରାୟ ୩.୪୮ କୋଟି ଟଙ୍କା ମିଳିବ। ୧୩ ରୁ ୨୦ ତମ ସ୍ଥାନରେ ଥିବା ଟିମଗୁଡ଼ିକୁ ସମାନ ପରିମାଣର ୦.୨୫ ମିଲିୟନ ଡଲାର ପ୍ରାୟ ୨.୨୯ କୋଟି ଟଙ୍କା ମିଳିବ।