ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ର ଚତୁର୍ଥ ସଂସ୍କରଣ

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିଅର୍ଜ ଅଂଶଗ୍ରହଣ କରିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ୨୦ଟି ମ୍ୟାଚ ଫେବୃଆରୀ ୧ ପର୍ଯ୍ୟନ୍ତ ଖେଳାଯିବ। ଫେବୃଆରୀ ୩ରେ ଏଲିମିନେଟର ଓ ୫ରେ ଫାଇନାଲ ବରୋଦାରେ ଖେଳାଯିବ। ପ୍ରତିଯୋଗିତାର ସଫଳତମ ଦଳ ଭାବେ ମୁମ୍ବଇ ଇଣ୍ଡିଆନ୍‌ସ ୨୦୨୩ ଓ ୨୦୨୫ରେ ଦୁଇଥର ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୨୪ରେ ଥରେ ଚମ୍ପିଆନ ହୋଇଛି।

ନବି ମୁମ୍ବଇରେ ଉଦ୍‌ଘାଟନୀ ମ୍ୟାଚରେ ଗତଥରର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ହରନମପ୍ରୀତ କୌରଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ଦଳରେ ନିକୋଲା କେରୀ,ସବନମ ଇସ୍‌ମାଇଲ, ଅମନଜୋତ କୌର, ହେଲି ମାଥ୍ୟୁସ୍‌, ନାଟ୍‌ ସ୍କିଭର-ବ୍ରଣ୍ଟଙ୍କ ଭଳି ଖେଳାଳି ରହିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳରେ ଭାରସାମ୍ୟ ରହିଛି। ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ଲୌରେନ ବେଲ୍‌, ନାଡିନ ଡି କ୍ଲର୍କ, ରିଚା ଘୋଷ, ଗ୍ରେସ ହାରିସ୍‌, ଅରୁନ୍ଧତି ରେଡ୍‌ଡୀ, ପୂଜା ବତ୍ସାକାର ଓ ରାଧା ଯାଦବଙ୍କ ଭଳି ଖେଳାଳି ରହିଛନ୍ତି। ଗତଥରର ବେଙ୍ଗାଲୁରୁ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା। ଦଳ ଚଳିତଥର ଚମ୍ପିଆନ ଆଶା ରଖି ପଡ଼ିଆକୁ ଓହ୍ଲାଇବ। ଦୁଇ ଦଳ ମଧ୍ୟରେ ଡବ୍ଲ୍ୟୁପିଏଲରେ ଖେଳା ଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଥର ଓ ମୁମ୍ବଇ ଇଣ୍ଡିଆନ୍‌ସ ଦୁଇଥର ଜିତିଛନ୍ତି।

ମ୍ୟାଚ ରାତି ୭ଟା୩୦ରୁ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ଡି.ୱାଇ. ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଖ୍ୟାତନାମା ଗାୟକ ୟୋ ୟୋ ହନି ସିଂହ, ବଲିଉଡ୍‌ ନାୟିକା ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ହର୍‌ନାଜ ସାନ୍ଧୁ ଦର୍ଶକଙ୍କ ମନୋରଞ୍ଜନ କରିବେ। ଭାରତୀୟ ମହିଳା କ୍ରିକେଟ ଦଳ ଦିନିକିଆ ବିଶ୍ବକପ ଜିତିବା ପରେ ଦେଶରେ ମହିଳା କ୍ରିକେଟର ଲୋକପ୍ରିୟତା ବଢିଯାଇଛି। ଏହି ଦୃଷ୍ଟିରୁ ମହିଳା ପ୍ରିମିୟର ଲିଗ୍‌ (ଡବ୍ଳ୍ୟୁପିଏଲ)ର ପୂର୍ବ ସମସ୍ତ ସଂସ୍କରଣ ଅପେକ୍ଷା ୨୦୨୬ ଅଧିକ ସଫଳ ହେବ ବୋଲି ଆଶା କରାଯାଉଛି।

Leave a comment