IPL ୨୦୨୬ : ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ ଈଶାନ୍ କିଶନ
IPL ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ କିଶନ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ସନରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ସନରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଈଶାନ୍ କିଶନ ଦଳର ନେତୃତ୍ବ ନେବେ । ବିସ୍ଫୋରକ ଓପନର ଅଭିଷେକ ଶର୍ମା ଦଳର ଉପଅଧିନାୟକ ଦାୟିତ୍ବ ସମ୍ଭାଳିବେ ।
ମାର୍ଚ୍ଚ ୨୮ରେ ଗତବର୍ଷର ଚମ୍ପିଆନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ସନରାଇଜର୍ସ ପ୍ରଥମ ମ୍ୟାଚ୍ ଖେଳିବ । ଆହତ ଥିବାରୁ ପ୍ୟାଟ୍ କମିନ୍ସ ଗତ ଟି୨୦ ବିଶ୍ବକପରେ ଖେଳିନଥିଲେ । କମିନ୍ସଙ୍କ ସହ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଥିବା ଅନ୍ୟ ଅଷ୍ଟ୍ରେଲୀୟ ପେସ୍ ବୋଲର ଜୋସ୍ ହାଜେଲ୍ଉଡ୍ ମଧ୍ୟ ଆହତ ଅଛନ୍ତି ।
ପରେ ପ୍ୟାଟ୍ କମିନ୍ସ ଚଳିତମାସର ଶେଷଆଡ଼କୁ ସନରାଇଜର୍ସ ଦଳରେ ଯୋଗ ଦେଇପାରନ୍ତି । ତେବେ ସେ ଟିମକୁ ଫେରିବା ଯାଏଁ ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ ତଥା ବ୍ୟାଟ୍ସମ୍ୟାନ ଈଶାନ୍ କିଶନ ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ଈଶାନ୍ କିଶନ ଓ ଅଭିଷେକ ଶର୍ମା ଟି-୨୦ ବିଶ୍ବକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ।
୨୦୨୫ ଆଇପିଏଲ୍ ପୂର୍ବରୁ ନିଲାମରେ କିଶନଙ୍କୁ ୧୧.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା ସନ୍ରାଇଜର୍ସ ହାଇଦ୍ରାବାଦ । ସେ ୧୫୨.୫୮ ଷ୍ଟ୍ରାଇକ୍ ରେଟରେ ୩୫୪ ରନ୍ କରିଥିଲେ ।